ମାଲକାନଗିରି– ମାଲକାନଗିରି ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିଶନ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଭୋଟର ତାଲିକା ସଂଶୋଧନ ସଂପର୍କିତ କର୍ମଶାଳା ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ସଭାପତିତ୍ଵରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଣ୍ଡାଙ୍ଗି ଛାତ୍ରଛାତ୍ରୀମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଫର୍ମ ଛଅ; ସାତ ଓ ଆଠ କିପରି ପୂରଣକରି ସାବାଳକ ଭୋଟର ଭାବେ ନିଜର ନାମ ପଞ୍ଜୀକରଣ କରିପାରିବେ ସେ ସମ୍ପର୍କରେ ସବିଶେଷ ବିବରଣୀ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡଃ. ରଞ୍ଜନ କୁମାର ସ୍ଵାଇଁ ପରିଚାଳନା ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ୧୮ ବର୍ଷ ବୟସରେ ପଦାର୍ପଣ କରିଥିବା ୨୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମୋବାଇଲ ଆପ୍ ମାଧ୍ୟମରେ ଫର୍ମ ୬ ପୂରଣ କରି ନୂତନ ଭୋଟର ଭାବେ ସାମିଲ ହେବାପାଇଁ ଆବେଦନ କରିଥିଲେ। ଏଥି ସଂପର୍କିତ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଚଳଚ୍ଚିତ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନେ ମାଲକାନଗିରି ଜିଲ୍ଲାର ଭୌଗଳିକ ପରିବେଶ, ବେଶ ଭୂଷା, ମନୋରମ ପ୍ରାକୃତିକ ପରିବେଶ ଓ ନୃତ୍ୟ ଗୀତର ଉପଭୋଗ କରିଥିଲେ।
ପରେ ପରେ ଛାତ୍ରଛାତ୍ରୀମାନଙ୍କର ଏକ ନିର୍ବାଚନ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ପୌରପାଳିକା ଅଧିକାରୀ ସୁଶାନ୍ତ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।