ବଲାଙ୍ଗିର– ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଗୁଡିକରେ ଜମା ଟଙ୍କା ରଖିଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବା ଦାବି ନେଇ ଆଜି ସକାଳେ ଏକ ବିଶାଳ ରାଲି କୋଶଳ କଳାମଣ୍ଡଳ ଠାରୁ ବାହାରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଆହ୍ଵାନରେ ପ୍ରାୟ ଦୁଇ ହଜାର ଜମାକାରୀ ଜିଲ୍ଲାପାଳ ଅଫିସ ଘେରାଉ କରିବା ସହିତ ଅନେକ ସମୟ ଧରି କଚେରୀ ଛକ ରାସ୍ତାକୁ ଅବରୋଧ କରି ରଖିଥିଲେ। ରାଜ୍ଯ ସରକାର ଜମାକାରୀ ମାନଙ୍କୁ ତାଙ୍କର ଅର୍ଥ ପରିଶୋଧ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ରହିଛି।
ଛତ୍ତିଶଗଡ଼ ସରକାର ୨୦୧୮ ଡିସେମ୍ବର ୧୭ ତାରିଖ ପରେ ଅସାଧୁ ଚିଟଫଣ୍ଡ କମ୍ପାନୀଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୦୨୩ ମାର୍ଚ ସୁଦ୍ଧା ଜମାକାରୀଙ୍କୁ ୩୩ କୋଟି ଟଙ୍କା ଫେରାଇଥିଲେ। ଓଡିଶା ସରକାର ୨୦୨୩ ମସିହାରେ ପ୍ରକ୍ରିୟା ଆରମ୍ଭ କରି ଜମାକାରୀଙ୍କ କଷ୍ଟ ଉପାର୍ଜିତ ଧନରାଶିରୁ କମ୍ପାନୀ ମାନେ କରିଥିବା ସମ୍ପତ୍ତି ସରକାର ଜବତ କଲେ ନାହିଁ, ଯେଉଁ କିଛି କମ୍ପାନୀର ଜବତ କରିଥିଲେ ସମ୍ପତ୍ତି ଇଂ ଅକ୍ସନ ଇ- ବିଡିଂ ନାମରେ କେତେକ ଅସାଧୁ ବେପାରି ମାନଙ୍କୁ ସମର୍ପଣ କରି ବିକ୍ରି ଲବ୍ଧ ଅର୍ଥକୁ ଚଳୁ କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିନାହାନ୍ତି। ସେମାନେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ତିରିଶ ଲକ୍ଷ ଜମାକାରୀଙ୍କ ପରିବାର ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ଚେତବନୀ ଦିଆଯାଇଛି।