ନୂଆଦିଲ୍ଲୀ, 2008ରେ ଜୟପୁର ସିରିୟଲ ବ୍ଲାଷ୍ଟ ମାମଲାରେ ରାଜସ୍ଥାନ ହାଇକୋର୍ଟ ମୁକ୍ତ କରିଥିବା 4ଜଣ ବ୍ୟକ୍ତିଙ୍କ ପିଟିସନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏବଂ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଥାନାରେ ପ୍ରତିଦିନ ହାଜିରା ଲଗାଇବା ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ ବିଆର ଗୱଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଟ୍ରାଏଲ କୋର୍ଟରୁ ସମସ୍ତ ରେକର୍ଡ ତଲବ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ଦାଖଲ କରିନପାରିବା କାରଣରୁ ରାଜସ୍ଥାନ ହାଇକୋର୍ଟ 4ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ । ତେବେ ମେ 17ରେ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଆଦେଶ ଦେଇଥିଲେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅନ୍ୟ ମାମଲାରେ ଟ୍ରାଏଲ ଚାଲୁଥିବାରୁ ତାଙ୍କୁ ମୁକ୍ତ କରିହେବନାହିଁ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସମ୍ପୂର୍ଣ୍ଣ ରୋକ ଳଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ଓ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ । ମୁକ୍ତ ହେବା ପୂର୍ବରୁ ଦୋଷୀମାନଙ୍କୁ ଜାମିନ ବଣ୍ଡ ସମ୍ପର୍କିତ ହାଇକୋର୍ଟଙ୍କ ସର୍ତ୍ତକୁ କଠୋର ଭାବେ ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।