ଭୁବନେଶ୍ୱର, ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ସେ ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିଲେ ଓ ଭୁବନେଶ୍ୱରର ଘରୋଇ ହସପିଟାଲେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ମହାନ୍ତି ଆଜି ଭୋର ୩.୨୫ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି ।
ମହେଶ୍ବର ମହାନ୍ତି ୧୯୫୬ ମସିହା ଫେବ୍ରୁଆରି ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀକୁ ପ୍ରତିନିଧିତ୍ବ କରି ଆସୁଥିଲେ ମହେଶ୍ବର । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳି ଥିଲେ । ୨୦୧୧ ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ସେ। ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ଏହା ପୂର୍ବରୁ ସେ ପୁରୀର ପୌରାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।