
କଟକ/ଭୁବନେଶ୍ୱର, ସାରସ୍ୱତ ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ ଗାନ୍ଧୀଭବନଠାରେ ରବିବାର ସନ୍ଧ୍ୟାରେ ଏକ ବ୍ୟଙ୍ଗ ଗଳ୍ପ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଡକ୍ଟର ବାବାଜି ଚରଣ ପଟ୍ଟନାୟକ ସମୀକ୍ଷକ ଭାବେ ଯୋଗଦେଇଥିଲେ । ସମ୍ପାଦକ ବିପିନ ବିହାରୀ ରାଉତ ସ୍ୱାଗତ ଭାଷଣ ଦେଇଥିଲେ, କବି ପ୍ରସନ୍ନ କୁମାର ସ୍ୱାଇଁ ଗଳ୍ପ-କବିତା ପାଠର ସଂଯୋଜନା କରିଥିଲେ ଓ ଯୁଗ୍ମ ସମ୍ପାଦକ ଡକ୍ଟର ନୀରୋଦ କୁମାର ମନ୍ତ୍ରୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବ୍ୟଙ୍ଗ କବି ମାଧବ ଚନ୍ଦ୍ର ସ୍ୱାଇଁ, ବିଭୂତି ସ୍ୱାଇଁ, ଧର୍ମଛଡା, ବିନ୍ଦୁସାଗର ଓଝା, ସଞ୍ଜୀବ ଦାସ ଓ ଋଦ୍ଧି ପ୍ରସାଦ ନନ୍ଦ ସ୍ୱରଚିତ କବିତା ଏବଂ ଜ୍ଞାନ ହୋତା, ରାଧାଶ୍ୟାମ ରାଉଳ, ସୌରାଂଶୁ ପଟ୍ଟନାୟକ ଓ କବି ବିପ୍ଳବ ଗଳ୍ପ ପାଠ କରିଥିଲେ । ସମୀକ୍ଷକ ଡକ୍ଟର ପଟ୍ଟନାୟକ କହିଲେ ଯେ, ସାମ୍ପ୍ରତିକ ସମାଜରେ ମଣିଷର ମୁହଁରୁ ହସ ଲିଭିଯାଉଥିବାବେଳେ ବ୍ୟଙ୍ଗ ରଚନାର ବିଶେଷ ଗୁରୁତ୍ୱ ରହିଛି । ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ସରୋଜ ପାଇଟାଲ ଧନ୍ୟବାଦ ଅର୍ପଣ କରିଥିଲେ ।