ରାଉରକେଲା, ରାଉରକେଲା ପୁଲିସ ଜିଲ୍ଲା ଅର୍ନ୍ତଗତ ବିଶ୍ରା ଥାନା ଅଂଚଳରେ ଆଜି ସକାଳେ ଗୁଳିକାଣ୍ଡ ଘଟି ଜଣେ ଗୁରୁତର ହୋଇଥିବା ବେଳେ ଅପରାଧୀ ମାନେ ମୁଖା ପିନ୍ଧି ସର୍ବସାଧାରଣରେ ଏହି ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି। ରାଉରକେଲା ପୁଲିସ ଜିଲ୍ଲାରେ ଏଭଳି କଥା କଥାକେ ଷ୍ପଷ୍ଟ ଦିବାଲୋକରେ ଗୁଳି ଫୁଟିବା ଓ ଚୋରା ବନ୍ଧୁକ ହାଉଯାଉ ହେବା ଘଟଣାକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଘଟଣାରେ ଆହତ ଯୁବକ ହେଲେ ଇର୍ଫାନ ଖାନ(୨୫), ସେ ବିଶ୍ରା ଅଂଚଳର ବାସିନ୍ଦା । ଇର୍ଫାନ ଆଜି ସକାଳୁ କୌଣସି କାମରେ ଆଇଟିଆଇ ଛକ ନିକଟରେ ଥିବା ବେଳେ ହଠାତ ଦୁଇ ଜଣ ଯୁବକ ମୁଖା ପିନ୍ଧି ଆସି ତାଙ୍କ ଉପରକୁ ଫାଇରିଂ କଲେ। ଏହାଦ୍ଵାରା ଇର୍ଫାନଙ୍କ ପେଟ ଓ ଛାତି ମଝିରେ କିଛି ଗୁଳି ଲାଗିବାରୁ ସେ ଚିତ୍କାର କରି ତଳେ ପଡିଯାଇଥିଲା । ଘଟଣାସ୍ଥଳରେ ଥିବା ଲୋକେ ପୁଲିସକୁ ଖବର ଦେଇ ଆହତଙ୍କୁ ଡାକ୍ତରଖାନାକୁ ନେବା ଲାଗି ଉଦ୍ୟମ କରୁଥିବା ବେଳେ ଅପରାଧୀ ଦ୍ଵୟ ସେଠାରୁ ଫେରାର ହୋଇଯାଇଥିଲେ । ପରେ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଁଚି ଆହତଙ୍କୁ ସରକାରୀ ଡାକ୍ତରଖାନା ରାଉରକେଲା ଓ ପରେ ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା ବ୍ୟବସ୍ଥା କରୁଥିବା ଖବର ମିଳିଛି । ତେବେ ଘଟଣାର କାରଣ କଣ ତାହା ଜଣାପଡିନଥିବା ବେଳେ ଏହା ପୂର୍ବ ଶତୃତା ଲାଗି ହୋଇଥାଇପାରେ ବୋଲି ଅଂଚଳରେ ଆଲୋଚନା ଚାଲିଛି । ତେବେ ବିହାର ଛତିଶଗଡ ସିମାନ୍ତକୁ ଲାଗି ରହିଥିବା ରାଉରକେଲା ପୁଲିସ ଜିଲ୍ଲାରେ ଏଭଳି କଥା କଥାକେ ଗୁଳି ଫୁଟିବା, ସେ ବି ଷ୍ପଷ୍ଟ ଦିବା ଲୋକରେ ତାହା ଲୋକଙ୍କୁ ଚିନ୍ତାରେ ପକାଇଛି । ଏହି ବନ୍ଧୁକ କାରବାର ଓ ହାଉଯାଉ ରାଉରକେଲାରେ ଆଜି ନୁହେଁ ଦୀର୍ଘ ଦିନର କାରବାର । ସହରର ନାମି ଦାମି ଅଂଚଳରେ ଓ ଅପରାଧିକ କାରବାର ଅଂଚଳରେ ଏଭଳି ଚୋରା ବନ୍ଧୁକ ସଂଖ୍ୟା ଅନେକ, ଅନେକ ସମୟରେ ପୁଲିସ ମଧ୍ୟ ଏଭଳି ବନ୍ଧୁକ ମାନ ଧରୁଛି, ହେଲେ ଏସବୁ କେଉଁଠୁ ଆସୁଛି ଚାଲାଣକାରୀ କିଏ ତାହା ଆଜିଯାଏ ଜଣା ପଡୁନାହିଁ। ଫଳରେ ବର୍ତମାନ ଏଭଳି ବନ୍ଧୁକ ଆଜିକାଲିକା ପିଲାଙ୍କର ଖେଳନା ସାଜି ଲୋକଙ୍କ ଲାଗି କାଳ ହେବାରେ ଲାଗିଛି ।
Related Stories
November 23, 2024