ବଲାଙ୍ଗିର, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ଅକ୍ଟୋବର ୩୦ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମି ହଲ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା ହେଉଛି “ ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି ସମର୍ପିତ ରହିବା”। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣ ନିଜର ଦାୟିତ୍ଵ, କର୍ତ୍ତବ୍ୟ ଓ ଅଧିକାର ପ୍ରତି ସଚେତନ ହେଲେ ଦୁର୍ନୀତିକୁ ରୋକାଯାଇ ପାରିବ ଏବଂ ପ୍ରତ୍ୟେକ ସ୍ତରରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରୁ ଦୁର୍ନୀତି ରୋକିବାକୁ ହେଲେ ବ୍ୟାପକ ଜନସଚେତନତା ସହ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଡ଼ି.ଏସ.ପି. ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ତାତ୍ପର୍ଜ୍ୟ ସମ୍ପର୍କରେ ସୂଚନା ଦେବା ସହ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସକାଶେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା ଛାତ୍ର ଜୀବନରୁ ହିଁ ଦୁର୍ନୀତି ବିରୋଧରେ ସଚେତନ ହେବା ସହ ଅନ୍ୟକୁ ସଚେତନ କରେଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା କହିଥିଲେ ଯେ, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ପ୍ରଥମେ ବ୍ଲକ ଓ ମ୍ୟୁନିସିପାଲିଟି ତଥା ଏନ.ଏ.ସି. ସ୍ତରରେ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । “ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି ସମର୍ପିତ ରହିବା “ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ଅନୁଷ୍ଠିତ ସଚେତନତା ସଭାରେ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ଡଃ. ପ୍ରେମଚାନ୍ଦ ମହାନ୍ତି ସଭା ସଂଯୋଜନା କରିଥିଲେ । ପତିତପାବନ ଏକାଡେମିର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭାରେ ନାଗରିକ କମିଟି ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସରକାରୀ ଅଧିକାରୀଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀ ମାନେ ଯୋଗଦେଇଥିଲେ।