ଧର୍ମଶାଳା,ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଏନେଇ ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ବାସ୍ତବରେ ତାହା କାମରେ ଆସୁ ନ ଥିବା ଅଭିଯୋଗ ହୋଇଛି । ଚିନାବାଦାମ ଏକ ଲାଭକାରୀ ଫସଲ । ତେବେ ହଜାର ହଜାର ଚାଷୀ ଚିନାବାଦାମ ଚାଷ ଉପରେ ନିର୍ଭର କରନ୍ତି । ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି । ବର୍ଷକ ରୋଜଗାର ଆହାର ତା ପାଖରେ ନ ଥିବାରୁ କେତେ ଚାଷୀ ଋଣ ବୋଝରେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳୁଛି । ହେଲେ ଯାହା କରମକୁ ଆଦରୀ ଚାଷୀ ପଡିରହିଛି । ହେଲେ ଏବେ ଅନେକ ଚାଷୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡିଛି । ରବି ଫସଲ ପାଇଁ ରସୁଲପୁର ଓ ଧର୍ମଶାଳା ବ୍ଲକର ଚାଷୀମାନେ ଚିନାବାଦାମ ଚାଷ କରିଥାଆନ୍ତି । ଚଳିତ ବର୍ଷ ଏହି ଦୁଇ ବ୍ଲକରେ ୮ ହଜାର ହେକ୍ଟରରୁ ଉର୍ଦ୍ଧ ଚାଷ ଜମିରେ ଚିନାବାଦାମ ଚାଷ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ଜଣାପଡିଛି । ପାଗ ସାମାନ୍ୟ ଅନକୂଳଥିବାରୁ ଚାଷୀମାନେ ବିଲରେ ଚାଷକାମ ସାରି ସରକାରୀ ବିହନକୁ ଅନାଇ ବସିଛନ୍ତି । ହେଲେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗାଇ ଦେବାତ ଦୂରର କଥା ସେପରି କିଛି ବିହନ ଆସିବା ନେଇ ସେପରି କିଛି ସୂଚନା ମଧ୍ୟ ନାହିଁ । ଫଳରେ ଚାଷକାମ ପଛୁଆ ହୋଇଯିବ ବୋଲି ଆଗକୁ ଗ୍ରୀଷ୍ମଋତୁକୁ ଲକ୍ଷ୍ୟ କରି ବିହନ କଳାବଜାରରୁ ଉଚ୍ଚ ଦରରେ କିଣୁଥିବା ଅଭିଯୋଗ ହୋଇଛି । ବଜାରରେ କ୍ୱିଂଟାଲ ପିଛା ୧୦ ହଜାରରୁ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରାଯାଉଛି । ଫଳରେ ଚାଷୀମାନେ ଏତେ ଟଙ୍କା ଦେଇ ଚିନାବାଦାମ ବିହନ କିଣିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ଫଳରେ ଚାଷକାମ ଅଧପନ୍ତରିଆ କରି ଛାଡିଦେଇଥିବା ଦେଖିବାକୁ ମିଳିଛି । ସେବା ସମବାୟ ସମିତି ପକ୍ଷରୁ ବିହନ ରିହତି ଦରରେ ଯୋଗାଇ ଦେବାକୁ ଚାଷୀଭାଇମାନେ ଲୋକପ୍ରତିନିଧିଙ୍କ ନିକଟରେ ଦାବି କରୁଥିଲେ ସୁଦ୍ଧା କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ପୂର୍ବ ବର୍ଷମାନଙ୍କରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଚିନାବାଦାମ ବିହନ ଦେଖିବାକୁ ମିଳି ନ ଥିଲା । ହେଲେ ଚଳିତ ବର୍ଷ ସେହି ନୀତିକୁ ପ୍ରଶାସନ ନ ବଦଳାଇଲେ ଚାଷୀ କୂଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଅଂଚଳର ବହୁ ଅଗ୍ରଣୀ ଚାଷୀଭାଇ ମତ ପ୍ରକାଶ କରିଛନ୍ତି । ବହୁ ବିଳମ୍ବରେ ସରକାର ବିହନ ଯୋଗାଇଲେ ମଧ୍ୟ ସେତେବେଳକୁ ଚାଷକାମ ସମ୍ପୂର୍ଣ୍ଣ ସରିଯାଇଥାଏ । ଏହି ବିହନକୁ ଲାଭଖୋର ବେପାରୀମାନଙ୍କୁ ବିକ୍ରୀ କରିଥାଆନ୍ତି । ଯାହାକି ସେମାନେ ସରକାରୀ ଧନକୁ ଚଳୁ କରି ବେଶ୍ ଦୁଇ ପଇସା ରୋଜଗାର କରିଥାଆନ୍ତି । ତୁରନ୍ତ ଚାଷୀଭାଇମାନଙ୍କୁ ସେବା ସମବାୟ ସମିତି ପକ୍ଷରୁ ରିହାତି ମୂଲ୍ୟରେ ବିହନ ଯୋଗାଇ ଦେବାକୁ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା, ବନ୍ଧଡିହ, ମଙ୍ଗରାଜପୁର, ଅର୍ଥଙ୍ଗା ପଞ୍ଝାୟତ ଓ ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଦେଓଦା, ଅରାବଳ, କଦମପାଳ, କୋତପୁର ପଞ୍ଚାୟତର ଅଗ୍ରଣୀ ଚାଷୀମାନେ ଦାବି କରିଛନ୍ତି । ନ ହେଲେ ଆଗାମୀ ଦିନରେ ଚାଷୀକୂଳ ଅବସ୍ଥା ଶୋଚନୀୟ ଆଡକୁ ଅଗ୍ରସର ହେଲେ କେତେ ଯେ ଚାଷୀ ଆତ୍ମହତ୍ୟା କରିବେ ତାହା କିଏ କହିବ।
ଅନ୍ୟପକ୍ଷରେ ଚାଷୀ କୃଷି ବିଭାଗ କାର୍ଯ୍ୟାଳୟ ଓ ସମବାୟ ସମିତି କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହେଲେଣି । ଅପେକ୍ଷା କରିବାକୁ ଉତର ମିଳୁଛି । ତେବେ ଚାଷୀଙ୍କୁ କେବେ ସରକାରୀ ବିହନ ଯୋଗାଇ ଦିଆଯିବ ତାହାକୁ ନେଇ ଚାଷୀ ଚାହିଁ ବସିଛି ।