କନ୍ଧମାଳ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ନିକଟରେ ଏକ କାର ରାସ୍ତା କଡରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ ପିଟିହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଚାଳକଙ୍କ ସମେତ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ମୃତ ଓ ଗୁରୁତର ବ୍ୟକ୍ତି ତିନି ବନ୍ଧୁ ବୋଲି ଜଣାପଡ଼ିଥିବା ବେଳେ ମୃତକ ଜଣକ କଟକ ଜିଲ୍ଲା ବଡମ୍ବା ଥାନା ଗୋପୀନାଥପୁର ଗାଁ ର ଦୁଃଶାସନ ବେହେରା ଓ ଗୁରୁତର ଆହତ ହୋଇଥିବା ଦୁଇ ଜଣ ବ୍ୟକ୍ତି ସେହି ଗୋପୀନାଥ ପୁର ଗାଁ ର ଚନ୍ଦ୍ରକାନ୍ତ ସାହୁ ଓ ପଦ୍ମଚରଣ ସୁବୁଦ୍ଧି ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଏହି ତିନି ବନ୍ଧୁ ମିଶି ଦୀର୍ଘଦିନ ଧରି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ ଗୁଡିକୁ ତୁଳା ଓ ବେଣ୍ଡିଜ କପଡା ଯୋଗାଇବାର ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟ ପାଇଁ ସେମାନେ ରାୟଗଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ବିଭିନ୍ନ ମେଡିକାଲରୁ ଅର୍ଡର ନେଇ ନିଜ ଗାଁ କୁ ଫେରୁଥିବା ସମୟରେ ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ବାଲିଗୁଡା ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଥିବା ବାଳିକେତା ଠାରେ ରାସ୍ତାକଡରେ ଥିବା ଏକ ଗଛରେ କାର ଟି ଭାରସାମ୍ୟ ହରାଇ ପିଟିହୋଇ ଯାଇଥିଲା। ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିବା କାର ଚାଳକ ପଦ୍ମଚରଣ ସୁବୁଦ୍ଧି ଫିରିଙ୍ଗିଆରେ ଶିକ୍ଷକ ଭାବରେ କାର୍ଯ୍ୟରତ ସେହି ଗୋପୀନାଥ ପୁର ଗାଁ ର ନିରଞ୍ଜନ ସାହୁ ନାମକ ତାଙ୍କର ଜଣେ ବନ୍ଧୁଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଘଟଣାସ୍ଥଳରେ ଶିକ୍ଷକଙ୍କ ସହ ଶିକ୍ଷକ ରବୀନ୍ଦ୍ର ସାହୁ ଏବଂ ଶିକ୍ଷକ ଟୁନା ସାହୁ ପହଂଚି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ିରେ ତିନି ବନ୍ଧୁଙ୍କୁ ଉଦ୍ଧାର କରି ପ୍ରଥମେ ସାରଙ୍ଗଗଡ଼ ମେଡିକାଲକୁ ନେଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ତିନି ଜଣଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ସମୟରେ ବାଟରେ ଦୁଃଶାସନ ବେହେରାଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଫିରିଙ୍ଗିଆ ପୋଲିସ ସେଠାରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଥାନାରେ ଦୁର୍ଘଟଣାଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ସୂଚନା ଫିରିଙ୍ଗିଆ ଥାନା ପୋଲିସ ସୂତ୍ରରୁ ଜଣାଯାଇଛି ।