କେନ୍ଦ୍ରାପଡା, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର । ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଡିଏସ୍ପି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅନୀତା ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡ଼ା ଯୋଗ ଦେଇ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ସରକାରୀ କର୍ମଚାରୀ ମାନେ ସେମାନଙ୍କ କର୍ତବ୍ୟ ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସରକାରଙ୍କ ୫ଟି ପଦକ୍ଷେପକୁ ଭୂୟଂସୀ କରିବା ସହ ଏହାକୁ ନିଷ୍ଠାର ସହ ପାଳନ କରାଗଲେ ଦୁର୍ନୀତି ଆପେ ଉଭେଇ ଯିବ ବୋଲି ମତ ପ୍ରକାଶ ପାଇଥିଲା । ଭିଜିଲାନ୍ସ ଡିଏସ୍ପି ଶ୍ରୀମତୀ ପୁହାଣ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କିଛି ଛାତ୍ରଛାତ୍ରୀ “ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସମର୍ପିତ ରହିବା” ଥିମ୍ ଉପରେ ନିଜର ଅଭିମତ ରଖିଥିଲେ । ଏହି ଅବସରରେ ୧୯ଜଣ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଭିଜିଲାନ୍ସ ଡିଏସ୍ପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସତ୍ୟଭାମା ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ପ୍ରକଳ୍ପ ସଂଯୋଜିକା ସଂଯୁକ୍ତା ମିଶ୍ର, ମିଶନ୍ ଶକ୍ତି ଜିଲ୍ଲା ସଂଯୋଜକ କୈଳାଶ ଚନ୍ଦ୍ର ସେନାପତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ମାନେ ଯୋଗ ଦେଇଥିଲେ ।
Related Stories
November 22, 2024