
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବ୍ୟାପକ ସଚେତନତା ହିଁ ମହାବ୍ୟାଧି ଦୁର୍ନୀତି ର ମୂଳୋତ୍ପାଟନ କରିପାରିବ ବୋଲି କହିଛନ୍ତି ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗର ଏସ ପି ଅନୁପମା ଜେମସ୍। ପୂର୍ବାହ୍ନ ରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ, ଦୁର୍ନୀତି ନିବାରଣ ଶାଖା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ଜେମସ୍ ବିକଶିତ ରାଷ୍ଟ୍ର ମାନଙ୍କ ରେ ଦୁର୍ନୀତି ବହୁତ କମ।ଆମ ଦେଶ ର ଜିଡିପିର ଶତକଡା ପ୍ରାୟ ୫ ଭାଗ ଦୁର୍ନୀତି ହେଉଛି।ଦୁର୍ନୀତି ନିବାରଣ ବିଭାଗ କେବଳ ଏହାକୁ ରୋକି ପାରିବ ନାହିଁ।ଏଥିପାଇଁ ଜନ ସହଯୋଗ ଓ ସଚେତନତା ମଧ୍ୟ ଜରୁରୀ।ଜନ ସାଧାରଣ ଟୋଲ ଫ୍ରି ନମ୍ବର ୧୦୬୪ ମାଧ୍ୟମରେ ଦୁର୍ନୀତି ସମ୍ପର୍କରେ ସୂଚନା ଦେଇପାରିବେ।ସୂଚନା ଦାତା ଙ୍କ ପରିଚୟ ଗୋପନ ରଖାଯିବ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ନୀତି ବିରୋଧୀ ଯେ କୌଣସି କାର୍ଯ୍ୟ ଦୁର୍ନୀତି ପଦବାଚ୍ୟ ବୋଲି କହିଥିଲେ।ଦୁର୍ନୀତି ନିବାରଣ କ୍ଷେତ୍ରରେ ସରକାରଙ୍କ ର ଶୂନ୍ୟ ସହନଶୀଳତା ବ୍ୟବସ୍ଥା ପାଇଁ ଅନେକ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦୁର୍ନୀତି ରୂପକ ସାମାଜିକ ବ୍ୟାଧି କୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ରେଜିଷ୍ଟାର ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଦୁର୍ନୀତି ବିକାଶ ର ମୁଖ୍ୟ ପ୍ରତବନ୍ଧକ ବୋଲି କହିବା ସହ
ପ୍ରତ୍ୟେକ ନିଜ ବିବେକାନୁମୋଦିତ କାର୍ଯ୍ୟ, ଉନ୍ନତ ଚରିତ୍ର ଗଠନ,ଆତ୍ମ ସଂଯମତା ଓ ଶୃଙ୍ଖଳା ରଖିଲେ ଦୁର୍ନୀତି ନିବାରଣ ସହଜ ହୋଇ ପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ସାମଲ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରତିନିଧି, ବରିଷ୍ଠ ନାଗରିକ, ଅବସର ପ୍ରାପ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ,ସ୍ୱଛାସେବୀ,ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ,ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ସଭା ପରିଚାଳନା କରିଥିଲେ। ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ପୁରୀ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ଉପ ଆରକ୍ଷୀ ଅଧିକ୍ଷକ ସୋମନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।