ନବରଙ୍ଗପୁର- ଗତକାଲି ବନ୍ଦ ପାଳନ ବେଳେ ହିଂସାକାଣ୍ଡ ତଥା କାର୍ ଜାଳିବା ଘଟଣାରେ ହିଂସାକୁ ଉସୁକାଇବା ନେଇ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସମେତ ମୋଟ୍ ୧୫ ଜଣଙ୍କ ନାମରେ ନିଜ ତରଫରୁ ଏତଲା କରିଛି ନବରଙ୍ଗପୁର ପୋଲିସ । ଟାଉନ୍ ଥାନାରେ ଏନେଇ ଏତଲା ପରେ ପୋଲିସ ମାମଲା ରୁଜ୍ଜୁ କରି ଛାନଭିନ୍ ଚଳାଇଛି । ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୫, ୧୨୦ (ଖ) ଏବଂ (୩) ପିଡ଼ିପିପି ଦଫାରେ ମାମଲା ରୁଜ୍ଜୁ ହୋଇଛି । ଏହି ଘଟଣାରେ ଆହୁରି ଅଧିକ ଲୋକଙ୍କ ନାମରେ ମାମଲା ରୁଜ୍ଜୁ ହୋଇପାରେ ବୋଲି ପୋଲିସ କହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଅଦ୍ୟାବଧି ପୋଲିସ ଗିରଫ କରିବାରେ ବିଫଳ ହୋଇଥିବାରୁ ଏହାର ପ୍ରତିବାଦରେ ଗତକାଲି ଜିଲ୍ଲା ବ୍ୟାପୀ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଥିଲା । ଗତକାଲି ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନାଦେଇ କହିଥିଲେ ଯେ, ରାଜ୍ୟରେ ମା’ ଭଉଣୀ ମାନଙ୍କ ଉପରେ ଦୁଷ୍କର୍ମ ଘଟଣା ମାନ ବଢିବାରେ ଲାଗିଛି । ରାଜ୍ୟର ବିଜେଡି ସରକାର କୈାଣସି ପଦକ୍ଷେପ ନେଉ ନାହିଁ । କଂଗ୍ରେସ ଗାନ୍ଧିନୀତି ନେଇ କାମ କରିବାରୁ ବିଜେଡି ସରକାର ଶୁଣୁ ନାହିଁ । ଏଣିକି ସୁବାଷ ବୋଷଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ନ୍ୟାୟ ପାଇଁ ହିଂସା କରାଯିବ ବୋଲି ଚେତାବନୀ ଦେଇଥିଲେ । ତାଙ୍କର ଏହି ବୟାନ ପରେ ବିବାଦୀୟ ହୋଇପଡିଥିଲା ।
ଏନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କଂଗ୍ରେସ ଦଳ କେବେ ହେଲେ ହିଂସାର ଆଶ୍ରୟ ନିଏ ନାହିଁ । ଏହା ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ । ପ୍ରଦୀପଙ୍କ ବୟାନ ତାଙ୍କର ବ୍ୟକ୍ତିଗତ । କଂଗ୍ରେସ ଦଳର ନୁହେଁ । ଏଭଳି ମନ୍ତବ୍ୟ କଂଗ୍ରେସ ଦଳ ପାଇଁ କ୍ଷୋଭର କଥା, ଏଭଳି ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି ।
ସେହିପରି ପ୍ରଦୀପ ମାଝିଙ୍କ ଏଭଳି ବିବାଦୀୟ ବୟାନ ଉପରେ ନିଜର ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତିି ଯେ, ସେ ଭାବ ବିହ୍ୱଳ ହୋଇ ଯାହା କହିଛନ୍ତି, ତାହା ଅତ୍ୟନ୍ତ ଦୁଃଖର କଥା । ପିସିସି ସଭାପତି ଭାବେ ମୁଁ ସେଥିପାଇଁ ଦୁଃଖ ପ୍ରକାଶ କରୁଛି । ଆମେ ଗାନ୍ଧିଜୀଙ୍କ ଅହିଂସା ନୀତିରେ ବିଶ୍ୱାସ କରୁ । ଏହା ବ୍ୟତୀତ ପ୍ରଦୀପଙ୍କ ନାମରେ ଟାଉନ୍ ଥାନାରେ ଏତଲା ଉପରେ ନିଜର ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି ଯେ, ପ୍ରଦୀପ ନାମରେ ମାମଲା ରୁଜ୍ଜୁ କରାଯାଇ ରାଜନୀତି କରାଯାଉଛି ।