
ନୂଆଦିଲ୍ଲୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ହାଜର ହୋଇପାରନ୍ତି । ଦିଲ୍ଲୀ ମଦ ନୀତି ଘୋଟାଲା ସମ୍ପର୍କରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ହୋଇଛି । ଦିଲ୍ଲୀ ମଦନୀତି ମାମଲାରେ ପୂର୍ବରୁ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ ଗିରଫ ହୋଇଛନ୍ତି । ତେବେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଯାଇପାରେ ବୋଲି ଆପ୍ ନେତା ଆଶଙ୍କା କରିଛନ୍ତି ।
ଅନ୍ୟପଟେ ଆଜି ସକାଳେ ଦିଲ୍ଲୀ ସରକାରଙ୍କ ଜଣେ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ କରିଛି । ଇଡିର ବିଭିନ୍ନ ଟିମ୍ ସକାଳ 6ଟାରେ ରାଜକୁମାରଙ୍କ ସହ ଜଡିତ 9ଟି ସ୍ଥାନ ଉପରେ ରେଡ୍ କରିଛନ୍ତି ।
ସେପଟେ ବିବାଦରେ ଥିବା ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରାଙ୍କୁ ଆଜି ସଂସଦର ଏଥିକ୍ସ କମିଟିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କିଛିଦିନ ପରେ ହାଜର ହେବା ନେଇ ମହୁଆ ସମୟ ମାଗିଥିଲେ । କିନ୍ତୁ ସଂସଦର ଏଥିକ୍ସ କମିଟି ଏହାକୁ ଗମ୍ଭୀରତାର ସହ ନେଇ ଦୀର୍ଘ ସମୟ ଦେବାକୁ ମନା କରିଦେଇଥିଲେ ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ସାଂସଦଙ୍କ ଲଗ୍ ଇନ୍ ଆଇଡିର ସମ୍ପୂର୍ଣ୍ଣ ବିବରଣୀ ବାହାର କରାଯାଇଛି । ଏବଂ ଏହାର ଲଗ୍ ଇନ୍ ଦୁବାଇରେ ହୋଇଥିବା ଜଣାପଡିଛି । ଦୁବାଇରେ ମହୁଆଙ୍କ ଅଫିସିଆଲ ଆଇଡି 47ଥର ଖୋଲାଯାଇଛି । ଏବେ ମହୁଆଙ୍କ ହାଜରା ଉପରେ ସମସ୍ତଙ୍କ ନଜର ରହିଛି ।