ପୁରୀ,ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ପୁରୀ ଯାଇ ଜଗାଦର୍ଶନ କରିଛନ୍ତି ରଘୁବର ଦାସ । ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଏହାର ଦୁଇଦିନ ପରେ ଅର୍ଥାତ ଶପଥ ଗ୍ରହଣ ପରେ ଆସି ପୁଣିଥରେ ଶ୍ରୀମନ୍ଦିର ପହଞ୍ଚି ଛନ୍ତି ।ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଗସ୍ତ । ସିଂହଦ୍ୱାର ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭବାଦନ ଜଣାଇଥିଲେ ।
ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିଥିଲେ ।ଏହାପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ କହିଥିଲେ, ଓଡ଼ିଶାର ଦାୟିତ୍ୱ ନେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲି । ଗରିବ, ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି । ମୋ ପାଇଁ ଓଡ଼ିଶାର ବିକାଶ ସର୍ବାଗ୍ରେ ରହିବ । ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବି ।ରାଜ୍ୟପାଳଙ୍କ ରାଜଭବନର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ଦେଶ ସହ ରାଜ୍ୟକୁ ଆଗକୁ ନେବା ଲାଗି ପ୍ରୟାସ କରିବି । କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ୱ ରହିବ । ଓଡ଼ିଶାର ପ୍ରଗତି ଦେଶର ପ୍ରଗତି ତେଣୁ ଓଡ଼ିଶାରେ ଏକପାଖିଆ ନହୋଇ ସୁଶାସନ ହୋଇପାରିବ ସେଦିଗରେ ଧ୍ୟାନ ରହିବ । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନର ଦ୍ୱାର ଖୋଲା ରହିବ ବୋଲି ଦମ୍ଭୋକ୍ତି କରିଥିଲେ ଶ୍ରୀ ଦାସ । ଓଡ଼ିଶାର ଗରିବୀ ହଟେଇବା ମୁଖ୍ୟ ଲକ୍ଷ୍ୟ ରହିବ । ସେପଟେ ବିଶାଖପାଟଣା ମୃତାହାତଙ୍କ ପାଇଁ ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିବା କଥା ସେ କହିଥିଲେ । ସେଇଭଳି ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବଶୀଘ୍ର ବିଶ୍ୱଗୁରୁ ହୋଇପାରିବ ସେ କହିଥିଲେ ।ସେପଟେ ସେବାୟତଙ୍କ ସାଙ୍ଗରେ ଶ୍ରୀମନ୍ଦିର ଶୃଙ୍ଖଳା ଓ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ଉପରେ ଆଲୋଚନା କରିଥିଲେ । ଅନ୍ୟପଟରେ ସିଂହଦ୍ୱାରରେ ଜଗାଦର୍ଶନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କୁ ହାତ ହଲେଇ ଜୟ ଜଗନ୍ନାଥ କହି ଅଭିବାଦନ ଜଣାଇଥିଲେ ।