ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟକ୍ରମ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ପରିବେଶ ପରିବର୍ତନ ସଂପର୍କିତ ଦକ୍ଷତା ବିକାଶ କର୍ମଶାଳା ଭୁବନେଶ୍ୱରସ୍ଥ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଆସାମ୍, ମଣିପୁର, ନାଗାଲାଣ୍ଡ, ମିଜୋରାମ୍, ତ୍ରିପୁରା, ମେଘାଳୟ, ଅରୁଣାଚଳ ପ୍ରଦେଶ ସହ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ଜୈବବିବିଧତା ବୋର୍ଡ, ଖଣି ଓ ଭୂ-ବିଜ୍ଞାନ ବିଭାଗ, ଜଳଉତ୍ସ ଏବଂ ଯୋଜନା ଓ ସଂଯୋଜନ ବିଭାଗଗୁଡ଼ିକର ୬୦ ଜଣ ଦକ୍ଷ ଓ ବରିଷ୍ଠ ଅଧିକାରୀ ଏହି କର୍ମଶାଳାରେ ଯୋଗଦେଇଥିଲେ ।
ଯୋଜନା ଓ ସଂଯୋଜନ ବିଭାଗର ଅବସରପ୍ରାପ୍ତ ଓଏସ୍ଡି ତଥା ସ୍ୱତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାର ଶୁଭାରମ୍ଭ କରି ସାଂପ୍ରତିକ ପରିସ୍ଥିତିରେ ପରିବେଶର ପରିବର୍ତନ ଓ ପରିସଂଖ୍ୟାନର ଗୁରୁତ୍ୱ ଓ ଏ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିବାବେଳେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବିଜୟ ଭୂଷଣ ନନ୍ଦ ସ୍ୱାଗତ ଭାଷଣ ରଖି ପରିବେଶ ଭଳି ପ୍ରାକୃତିକ ସଂପତିର ସୁରକ୍ଷା ସହ ଜନସାଧାରଣଙ୍କଠାରୁ ଆରମ୍ଭ କରି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନମାନେ ପରିବେଶ ଶିକ୍ଷା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ନିଜର ମତବ୍ୟକ୍ତ କରିଥିଲେ ।
କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପରିଚାଳନା ବିଭାଗରୁ ଆସିଥିବା ଅତିରିକ୍ତ ଡେପୁଟୀ ଜେନେରାଲ୍ ଡ. ଗୀତା ସିଂ ରାଠୋର, ଡେପୁଟୀ ଜେନେରାଲ୍ ଡ. ସଂଜୟ କୁମାର, ଉପନିର୍ଦ୍ଦେଶିକା ଡ. ରୁଚି ମିଶ୍ର, ଡ. ସୁଦୀପ୍ତା ଘୋଷ ପରିସଂଖ୍ୟାନ ଅଧିକାରୀ କୂଲପ୍ରିତ୍ ସୌଖି ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ କର୍ମଶାଳାରେ ଉପସ୍ଥିତ ଅଧିକାରୀମାନଙ୍କୁ ପରିବେଶ ପରିବର୍ତନର କାରଣ ସହ ପରିବେଶର ସୁରକ୍ଷା ଏବଂ ଏହାର ସନ୍ତୁଳନ ରକ୍ଷା ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟକ୍ରମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଅଜୟ କୁମାର ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦାଶଙ୍କ ସମେତ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।