ଭୁବନେଶ୍ୱର, ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରେ ମିଳିବ ୱାଇଫାଇ ସୁବିଧା । ଏନେଇ ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚ ଶିକ୍ଷା ବିଭାଗ । ଅଧିକାଂଶ ପାଠ୍ୟକ୍ରମ ଅନ୍ଲାଇନ୍ ରେ ଥିବାରୁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ଯୋଗାଇ ଦିଆଯିବ । ଏଥିପାଇଁ କେତେ ଖର୍ଚ୍ଚ ହେବ ଏଷ୍ଟିମେସନ୍ ଦେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।
ବୁଧବାର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଲେଖିଛନ୍ତି । ଶ୍ରୀ ନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ପରିସର ୱାଇଫାଇଯୁକ୍ତ ହେବ । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ୱାଇଫାଇ ସୁବିଧା ମିଳିବ ମାଗଣାରେ ମିଳିପାରିବ । ଏହି ସୁବିଧା ମିଳିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ହେବ । ତେଣୁ ଛାତ୍ରଛାତ୍ରୀଙ୍କ ବୃହତ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତି ନେଇଛନ୍ତି । ଆଜିର ଦିନରେ ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ଲାଇନ୍ରେ ଉପଲବ୍ଧ ରହୁଛି । ମାଗଣା ଇଂଟରନେଟ୍ ସୁବିଧା ଦିଆଯିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ଏହା ସହାୟକ ହେବ, ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ । ଏଥିପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ୱାଇଫାଇ ନେଟୱର୍କ ଇଷ୍ଟଲେସନ ଲାଗି ବ୍ୟୟ ଅଟକଳ ବା ଏଷ୍ଟିମେସନ ପ୍ରସ୍ତାବ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।