ଭୁବନେଶ୍ୱର, କୃଷି ଓ କୃଷକର ନିରନ୍ତର ଉନ୍ନତି ହେଉଛି ବୋଲି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ବାହାସ୍ପୋଟ ମାରୁଥିଲେ ମଧ୍ୟ ପ୍ରକୃତରେ ଏହା ପ୍ରତାରଣାରେ ପରିଣତ ହୋଇଛି । ଉଭୟ ସରକାରଙ୍କ ଏପରି ଚାଷୀ ମାରଣ ନୀତିର ଦୃଢ଼ ପ୍ରତିବାଦ ଏବଂ ପ୍ରତି ପଂଚାୟତ ୱାରି ଚାଷୀମାନଙ୍କ ବାସ୍ତବ ସମସ୍ୟା ଚିହ୍ନଟ କରାଯିବା ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ଚଳିତମାସ ନଭେମ୍ବର ୧୦ ତାରିଖ ଠାରୁ ପର୍ଯ୍ୟାୟକ୍ରମେ ରାଜ୍ୟର ପ୍ରତି ଜିଲ୍ଲା ସ୍ତରରେ କିଷାନ ମହାପଂଚାୟତ ଅନୁଷ୍ଠିତ ହେବ । ଗତକାଲି ପ୍ରଦେଶ କଂଗ୍ରେସ ଭବନ ଠାରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ସଂପ୍ରତି ପିଆଜ ଦର ଯେଉଁଭଳି ଭାବରେ ବୃଦ୍ଧି ପାଇଛି ଏଥିରେ ଖାଉଟି ହନ୍ତସନ୍ତ । ଜନସଂଖ୍ୟାର ଚାହିଦା ଅନୁଯାୟୀ ସରକାର ପିଆଜ ଭଳି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କେତେ ଆଗୁଆ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ପିଆଜ ଦର ନିୟନ୍ତ୍ରଣ କରିବା, ପିଆଜ ଉତ୍ପାଦନ ଓ ସଂରକ୍ଷଣ ପାଇଁ ସରକାର ସଂପୂର୍ଣ୍ଣ ଫେଲ ମାରିଛନ୍ତି ।
ପିସିିସି କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଯୋଗଦେଇ ଉଭୟ ବିଜେଡ଼ି ଓ ବିଜେପି ସରକାର ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ବାସ୍ତବରେ ଚାଷୀର ବିକାଶ ପରିବର୍ତେ ଆଜି କେବଳ ବିନାଶ ଘଟିଛି । ଆଗାମୀ ଦିନରେ ଦଳ କ୍ଷମତାକୁ ଆସିବା ପରେ କୃଷି ଓ କୃଷକଙ୍କ ସାମଗ୍ରିିକ ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି କହିଥିଲେ । ପୁନଶ୍ଚ ଶ୍ରୀ ପଟ୍ଟନାୟକ କହିଲେଯେ କିଷାନ କଂଗ୍ରେସ ସଂଗଠନ ମାଧ୍ୟମରେ ରାଜ୍ୟର କୃଷକମାନଙ୍କୁ ସୁସଂଗଠିତ କରି ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକ ପୂରଣ ପାଇଁ ଏହି ଅପାରଗ ଅଥର୍ବ ସରକାର ବିରୁଦ୍ଧରେ ଦୃଢ଼ ଆନ୍ଦୋଳନ କରାଯିବ ।