-
ରନ୍ ଫର୍ ୟୁନିଟିର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ
ଲକ୍ଷ୍ନୌ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଲକ୍ଷ୍ନୌରେ ସର୍ଦ୍ଦାର ପଟେଲ ସ୍ମାରକ ପାର୍କରୁ ରନ୍ ଫର୍ ୟୁନିଟିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ରାଜନାଥ ସିଂ କହିଥିଲେ ଯେ, 1947, ଅଗଷ୍ଟ 15ରେ ଭାରତ ସ୍ୱାଧୀନ ହେବା ପରେ ଦେଶର 562 କ୍ଷେତ୍ରକୁ ଏକାଠି କରିବାରେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।
ବ୍ରିଟିଶମାନେ ଭାରତର ରାଜ୍ୟଗୁଡିକୁ ଅଲଗା ରହିବାକୁ କିମ୍ବା ଭାରତ ସହିତ ମିଶିବାର ସ୍ୱାଧୀନତା ଦେଇଥିଲେ। ତେବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଇଚ୍ଛାଶକ୍ତି ଓ ବୁଝାମଣା ଯୋଗୁ ହାଇଦ୍ରାବାଦ ଭାରତର ଅଂଶ ହୋଇପାରିଲା । ନହେଲେ ଆଜି ହାଇଦ୍ରାବାଦ ଯିବା ପରେ ଭିସା ଓ ପାସପୋର୍ଟର ଆବଶ୍ୟକତା ପଡୁଥାନ୍ତା । ରାଜନାଥ ଆହୁରି କହିଥିଲେ ଯେ, ଯଦି ଜମ୍ମୁ କଶ୍ମୀର ମିଶ୍ରଣ କାର୍ଯ୍ୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଦିଆଯାଇଥାନ୍ତା ତେବେ ସମ୍ବିଧାନର 370 ଧାରାର ସମସ୍ୟା ସୃଷ୍ଟି ହୋଇନଥାନ୍ତା । ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଏକଜୁଟ, ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସଂକଳ୍ପର ଦିନ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।