ଭଦ୍ରକ – ଭଦ୍ରକ ଜିଲାରେ ଏବେ ପଶୁ ସଂପଦଙ୍କ ଅସୁରକ୍ଷିତ ଅବସ୍ଥା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କେଉଁଠି ସର୍ପାଘାତରେ ଅକାଳରେ ଶହ ଶହ ପଶୁ ମୃତ୍ୟୁବରଣ କଲେଣି ତ କେଉଁଠି ପୀଡିତ ପଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଂଜେକସନ୍ର ଅଭାବ ସେମାନଙ୍କର ମୃତ୍ୟୁର କାରଣ ହେଉଛି । ୨୦୧୨ ଗଣନା ଅନୁଯାୟୀ ଭଦ୍ରକ ଜିଲାରେ ବିଭିନ୍ନ ଜାତିର ୫ ଲକ୍ଷ ୧୭ ହଜାର ୯୪୯ ଟି ପଶୁସଂପଦ ରହିଛନ୍ତି । ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମିତ୍ତ ଜିଲାର ୭ଟି ବ୍ଲକ୍ରେ ୧୩ଟି ପଶୁ ଚିକିତ୍ସା କେନ୍ଦ୍ର ରହିଛି । ମାତ୍ର ବିସ୍ମୟର ବିଷୟ ଜିଲାର ଏହି ସବୁ ଚିକିତ୍ସା କେନ୍ଦ୍ର ଗୁଡିକରେ ସର୍ପାଘାତକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ଇଂଜେକସନ୍ର ଘୋର ଅଭାବ ଦେଖାଦେଇଛି । ପ୍ରାପ୍ତ ସୂଚନା ମୂଳେ ଏହି ଜିଲାରେ ୨୭ ହଜାର ୮୭୯ ଟି ଶଙ୍କର ଜାତୀୟ ପଶୁ, ୪ ଲକ୍ଷ ୮୫ ହଜାର ୧୩୮ ଟି ଦେଶୀ ଜାତୀୟ, ୪ ହଜାର ୯୩୨ ଟି ମଇଁଷି ଭଳି ପଶୁ ସଂପଦ ୨୦୧୨ ଗଣନା ଅନୁଯାୟୀ ଅଛନ୍ତି । ଏଥିସହ ୧୨୩ ଟି ଗାଇ ଫାର୍ମ, ୮୬ଟି ଛେଳି ଫାର୍ମ ଓ ୪୮୮ ଟି କୁକୁଡା ଫାର୍ମ ରହିଥିଲେ ବି ଉପକୂଳବର୍ତୀ ଏହି ଜିଲାରେ ସର୍ପାଘାତ ଜନିତ ଚିକିତ୍ସାର ପ୍ରତିକାରର ଆବଶ୍ୟକ ଔଷଧ ଉପଲବ୍ଧ ହେଉନାହିଁ । ଯଦି କୌଣସି ପଶୁକୁ ସାପ ଦଂଶନ କରୁଛି, ସେମାନେ ତାହା ଇଂଜେକସନ୍ କିମ୍ବା କୌଣସି ଆବଶ୍ୟକ ଔଷଧ ନଥିବାର କହି ନୀରବ ରହୁଛନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତିର ମୁକାବିଲା ନେଇ ବିଭାଗୀୟ ଅଧିକାରୀ ଓ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ଭଦ୍ରକ ଜିଲା ମୁଖ୍ୟ ପଶୁ ଚିକିତ୍ସା କେନ୍ଦ୍ରର ଡାକ୍ତର ରାଜେଶ କୁଅଁର ଯାହା କହନ୍ତି ସର୍ପାଘାତରେ ପୀଡିତ ପଶୁଙ୍କ ଚିକିତ୍ସାର ବିଭିନ୍ନ ଲକ୍ଷଣ ଦେଖି ଚିକିତ୍ସା କରାଯାଉଛି । ଏହା ସହ ସର୍ପାଘାତ ପାଇଁ କୌଣସି ଔଷଧ ଉପଲବ୍ôଧ ନଥିବାରୁ ସେମାନେ କିଂ କର୍ତବ୍ୟ ମୂଢ ଅବସ୍ଥା ଦେଇ ଗତି କରୁଛନ୍ତି । ଏଣୁ ଭଦ୍ରକରେ ପଶୁ ସଂପଦର ଏଭଳି ଅସୁରକ୍ଷିତ ଅବସ୍ଥାକୁ ଦେଖି ମାନବ ସଭ୍ୟତାର ବିକାଶରେ ସହାୟକ ହେଉଥିବା ପ୍ରାଣୀ ସଂପଦର ଯଥୋଚିତ ସୁରକ୍ଷା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Related Stories
November 21, 2024
November 21, 2024