
ମାଲକାନଗିରି, ମାଲକାନଗିରି ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତ ଏମଭି ୪ ଗାଁର ୫୦ ବର୍ଷୀୟ ମହିଳା ସୀତା ହାଲଦାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସେ ଆବେଦନ କରିଥିଲେ । ଏହାରି ଭିତରେ ତାଙ୍କ ବ୍ୟାଙ୍କ ଖାତାରେ ୪୦ ହଜାର ଟଙ୍କା ଜମା ହୋଇଥିଲା । ଯାହାକୁ ସେ ପରବର୍ତି ସମୟରେ ଉଠାଇ ଖର୍ଚ୍ଚ କରିଥିଲେ । କିନ୍ତୁ, ତାଙ୍କ କାର୍ଯ୍ୟାଦେଶ ହୋଇନଥିବା ଜଣାପଡିବା ପରେ ଏବେ ତାଙ୍କୁ ଟଙ୍କା ଫେରାଇ ଦେବାକୁ ଚାପ ପକାଯାଉଛି । ଏପରିକି ତାଙ୍କ ପିଡିଏସ ସାମଗ୍ରୀ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।
ସେହିପରି ମାଲକାନଗିରି ଏମଭି ୮ ଗାଁର ନାଥୁରାମ ମଣ୍ଡଳଙ୍କ ସ୍ତ୍ରୀ ହରିଦାସୀ ମଣ୍ଡଳ ଗତ ଜୁନ ୬ ତାରିଖରେ କାର୍ଯ୍ୟାଦେଶ ପାଇଛନ୍ତି । କିନ୍ତୁ, ଏଯାଏଁ ତାଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ମିଳି ନାହିଁ । ତାଙ୍କ ଟଙ୍କା ଆଉ କାହା ଆକାଉଣ୍ଟକୁ ଚାଲି ଯାଇଥିବା ହରିଦାସୀଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି ।
ମାଲକାନଗିରି ଜିଲ୍ଲାରେ ୨୦୨୧-୨୨ ତାଲିକା ଅନୁଯାୟୀ, ମୋଟ ୨୧ ହଜାର ୯୧୮ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥିରୁ ୯୮ ପ୍ରତିଶତରୁ ଅଧିକ ଅର୍ଥାତ ୨୧ ହଜାର ୫୫୩ ଜଣଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପଠା ଯାଇଛି । ମାତ୍ର ୧୪.୬୯ ପ୍ରତିଶତ ଅର୍ଥାତ ୩୨୧୯ ଜଣ ହିତାଧିକାରୀଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ପଠାଯାଇଛି । ତେବେ ଜିଲ୍ଲାରେ ମାତ୍ର ୧୨୫୮ ହିତାଧିକାରୀ ଘର ନିର୍ମାଣ କରି ସାରିଛନ୍ତି ।