
ମାଲକାନଗିରି, ମାନବିକତା ଦେଖାଇଲେ ବିଏସଏଫ ଯବାନ । ମାଲକାନଗିରିର ଦୁର୍ଗମ ଦିଶାରୀଗୁଡ଼ା ଗାଁର ଗୁରୁତର ମହିଳାଙ୍କୁ ନିଜ ବୋଟରେ ମେଡିକାଲକୁ ପଠାଇଛନ୍ତି ବିଏସଏଫ ଯବାନ । ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ଜଣ ମହିଳା ପାରିବାରିକ କଳହରୁ ଗତକାଲି ରାତିରେ ବିଷ ପିଇଦେଇଥିଲେ । ଏନେଇ ମହିଳାଙ୍କ ସ୍ଵାମୀ ନିକଟରେ ଥିବା ବିଏସଏଫ ବାଟାଲିୟନକୁ ଖବର ଦେଇଥିଲେ । ତୁରନ୍ତ ବିଏସଏଫ ପକ୍ଷରୁ ନିଜ ବୋଟ ଓ ଆଉ ଏକ ଏସ୍କର୍ଟ ବୋଟ ଯୋଗେ ଗୁରୁତର ମହିଳା ପାନ ପାଙ୍ଗିଙ୍କୁ ୧୪ କିଲୋମିଟର ଦୂରରେ ଥିବା ଘନବେଡା କ୍ୟାମ୍ପକୁ ଆଣି ସେଠାରୁ ନିଜ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ । ବର୍ତ୍ତମାନ ପାନ ପାଙ୍ଗିଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ବିଏସଏଫ ସ୍ଵାଭିମାନ ଅଂଚଳରେ କେବଳ ସୁରକ୍ଷା ନୁହେଁ ଲୋକଙ୍କ ଅସୁବିଧା ବେଳେ କେମିତି କାର୍ଯ୍ୟ କରିଥାଏ ତାହା ପ୍ରମାଣିତ କରିଛି। ଲୋକଙ୍କ ସେବା ପାଇଁ ବିଏସଏଫ ସର୍ବଦା ତତ୍ପର ବୋଲି କହିଛନ୍ତି କମାଣ୍ଡାଣ୍ଟ କମଳ ଖୁଲବେ।