ନୂଆଦିଲ୍ଲୀ,‘ମନ୍ କୀ ବାତ୍’ର ୧୦୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ୍ଦି ତାମିଲନାଡୁର ଦୁଇ ବ୍ୟକ୍ତିତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସଂସ୍କୃତିକୁ ସୁରକ୍ଷିତ ରଖୁଥିବା ଶିବଶଙ୍କରୀଜୀ ଓ ଏ.କେ. ପେରୁମଲଜୀଙ୍କ ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ । ମନ୍ କୀ ବାତରେ ପିଏମ ମୋଦି ଏହି ଦୁଇଜଣଙ୍କ କଥା ଉଠାଇ ସେମାନଙ୍କ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଆମର ସାହିତ୍ୟ, ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନାକୁ ପ୍ରଗାଢ଼ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ଭିତରୁ ଗୋଟିଏ । ମୁଁ ଆପଣଙ୍କୁ ତାମିଲନାଡୁର ଗୌରବଶାଳୀ ଐତିହ୍ୟ ସହିତ ସଂପୃକ୍ତ ଦୁଇଟି ବହୁତ ପ୍ରେରଣାଦାୟୀ ପ୍ରୟାସ ବିଷୟରେ କହିବାକୁ ଚାହୁଁଛି । ମୋତେ ପ୍ରସିଦ୍ଧ ତାମିଲ ଲେଖିକା ଭଉଣୀ ଶିବଶଙ୍କରୀଜୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଛି । ସେ ଏକ ପ୍ରକଳ୍ପ କରିଛନ୍ତି- Knit India, Through Literature ଏହାର ଅର୍ଥ ହେଲା- ସାହିତ୍ୟ ଦ୍ୱାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା ଓ ଯୋଡ଼ିବା । ସେ ଏହି ପ୍ରକଳ୍ପ ଉପରେ ଗତ ୧୬ ବର୍ଷ ଧରି କାମ କରୁଛନ୍ତି । ଏହି ପ୍ରକଳ୍ପ ଜରିଆରେ ସେ ୧୮ଟି ଭାରତୀୟ ଭାଷାରେ ରଚିତ ସାହିତ୍ୟର ଅନୁବାଦ କରୁଛନ୍ତି । ସେ ଅନେକ ଥର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଓ ଇମ୍ଫାଲ୍ରୁ ଜୈସଲମେର୍ ପର୍ଯ୍ୟନ୍ତ ସମଗ୍ର ଦେଶ ଭ୍ରମଣ କରିଛନ୍ତି, ଯଦ୍ଦ୍ୱାରା ଭିନ୍ନ ଭିନ୍ନ ରାଜ୍ୟର ଲେଖକ ଓ କବିଙ୍କର ସାକ୍ଷାତକାର ନେଇପାରିବେ । ଶିବଶଙ୍କରୀଜୀ ବିଭିନ୍ନ ଜାଗାକୁ ଯାତ୍ରା କରିଛନ୍ତି, ସେ ଯାତ୍ରାର ବିବରଣୀ ସହିତ ଏହାକୁ ପ୍ରକାଶ କରିଛନ୍ତି । ଏହା ତାମିଲ ଓ ଇଂରାଜୀ ଦୁଇଟି ଭାଷାରେ ରହିଛି । ଏହି ପ୍ରକଳ୍ପରେ ଚାରିଟି ବଡ଼ଭାଗ ରହିଛି ଓ ପ୍ରତ୍ୟେକ ଭାଗ ଭାରତର ଅଲଗା ଅଲଗା ଅଂଶକୁ ସମର୍ପିତ ହୋଇଛି । ତାଙ୍କର ଏହି ସଙ୍କଳ୍ପଶକ୍ତି ପାଇଁ ମୋତେ ଗର୍ବ ଅନୁଭବ ହେଉଛି ।
କନ୍ୟାକୁମାରୀର ଥିରୁ ଏ.କେ. ପେରୁମଲ୍ ଜୀଙ୍କ କାମ ମଧ୍ୟ ବହୁତ ପ୍ରେରଣାଦାୟକ । ସେ ତାମିଲନାଡୁରେ ଯେଉଁ ଗଳ୍ପକଥନର ପରମ୍ପରା ରହିଛି ତା’ର ସଂରକ୍ଷଣ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ନିଜର ଏହି ମିଶନରେ ଗତ ୪୦ ବର୍ଷ ଧରି ଲାଗିଛନ୍ତି । ଏଥିପାଇଁ ସେ ତାମିଲନାଡୁର ଭିନ୍ନ ଭିନ୍ନ ଜାଗାକୁ ଯାତ୍ରା କରନ୍ତି ଓ ଲୋକକଳାର ବିଭିନ୍ନ ସ୍ୱରୂପର ଅନ୍ୱେଷଣ କରି ତାକୁ ନିଜ ପୁସ୍ତକରେ ସାମିଲ କରିଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏ ପର୍ଯ୍ୟନ୍ତ ଏପରି ପ୍ରାୟ ୧୦୦ ଖଣ୍ଡ ବହି ଲେଖିସାରିଲେଣି । ଏହାଛଡ଼ା ପେରୁମଲଜୀଙ୍କର ଆଉ ଏକ ଆଗ୍ରହ ରହିଛି । ତାମିଲନାଡୁର ମନ୍ଦିର ସଂସ୍କୃତି ସମ୍ପର୍କରେ ଗବେଷଣା କରିବା ତାଙ୍କର ବହୁତ ପସନ୍ଦ । ସେ ଚମଡ଼ା କଣ୍ଢେଇ ଉପରେ ମଧ୍ୟ ବହୁତ ଗବେଷଣା କରିଛନ୍ତି, ଯାହାର ଲାଭ ସେଠାକାର ସ୍ଥାନୀୟ ଲୋକକଳାକାରଙ୍କୁ ମିଳିଛି । ଶିବଶଙ୍କରୀଜୀ ଓ ଏ.କେ. ପେରୁମଲଜୀଙ୍କ ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ । ନିଜ ସଂସ୍କୃତିକୁ ସୁରକ୍ଷିତ ରଖୁଥିବା ଏଭଳି ପ୍ରତ୍ୟେକ ପ୍ରୟାସ ପାଇଁ ଭାରତ ଗର୍ବିତ, ଯାହା ଆମର ଜାତୀୟ ଏକତାକୁ ମଜଭୁତ କରିବା ସହିତ ଦେଶର ନାମ, ଦେଶର ମାନ, ସବୁକିଛିକୁ ବଢ଼ାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।