ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମରଣ କରିଛନ୍ତି । ଅମୃତ ମହୋତ୍ସବକୁ ସ୍ମରଣୀୟ କରିବାରେ ଲୋକଙ୍କ ଭୂମିକାକୁ ପ୍ରଶଂସ କରିବା ସହ ଅକ୍ଟୋବର ୩୧ ତାରିଖରେ, ସର୍ଦ୍ଦାର ସାହେବଙ୍କ ଜନ୍ମଦିନରେ ଏକ ବଡ ସଙ୍ଗଠନର ମେରା ଯୁବା ଭାରତର ମୂଳଦୁଆ ପଡିବାକୁ ଯାଉଥିବା ପିଏମ ମୋଦି କହିଛନ୍ତି ।
ପିଏମ କହିଛନ୍ତି ଯେ, ‘ଅକ୍ଟୋବର ୩୧ ତାରିଖ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ସେହିଦିନ ଆମେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳନ କରିଥାଉଁ । ଆମେ ଭାରତବାସୀ, ଅନେକ କାରଣରୁ ତାଙ୍କୁ ସ୍ମରଣ କରିଥାଉଁ ଏବଂ ସଶ୍ରଦ୍ଧ ପ୍ରଣାମ କରିଥାଉଁ । ସବୁଠାରୁ ବଡ଼ କାରଣ ହେଉଛି ଦେଶର ୫୮୦ରୁ ଅଧିକ ଦେଶୀୟ ରାଜ୍ୟଗୁଡ଼ିକୁ ଯୋଡ଼ିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି । ଆମେ ଜାଣୁ ଯେ, ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଏକତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥର ଏହି ସମାରୋହ ବ୍ୟତୀତ, ଦିଲ୍ଲୀଠାରେ କର୍ତ୍ତବ୍ୟପଥରେ ଗୋଟିଏ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ବିଗତ ଦିନରେ ମୁଁ ଦେଶର ପ୍ରତ୍ୟେକ ଗାଁରୁ ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିବା ପାଇଁ ଅନୁରୋଧ କରିଥିଲି । ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ କଳସରେ ରଖାଗଲା ଏବଂ ଅମୃତ କଳସ ଯାତ୍ରାର ଆୟୋଜନ କରାଗଲା । ଦେଶର କୋଣ ଅନୁକୋଣରୁ ସଂଗୃହିତ ଏହି ମାଟି, ଏହି ହଜାର ହଜାର ଅମୃତ କଳସ ଯାତ୍ରା ଏବେ ଦିଲ୍ଲୀ ପହଂଚିବ । ଏହି ଦିଲ୍ଲୀରେ ସେହି ମାଟିକୁ ଗୋଟିଏ ବିରାଟ ଭାରତ କଳସରେ ପକାଯିବ ଏବଂ ସେହି ପବିତ୍ର ମାଟିରେ ଦିଲ୍ଲୀରେ ଅମୃତ ବାଟିକାର ନିର୍ମାଣ ହେବ । ଏହା ଦେଶର ରାଜଧାନୀର ହୃଦୟରେ ଅମୃତ ମହୋତ୍ସବର ଭବ୍ୟ ଐତିହ୍ୟ ରୂପେ ରହିଥିବ । ଅକ୍ଟୋବର ୩୧ ତାରିଖ ଦିନ ହିଁ ସମଗ୍ର ଦେଶରେ ବିଗତ ଅଢ଼େଇ ବର୍ଷ ଧରି ଚାଲିଥିବା ଆଜାଦୀ କା ଅମୃତ ମହୋତ୍ସବର ସମାପନ ହେବ । ଆପଣ ସମସ୍ତେ ମିଶି ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ସମୟ ଧରି ଚାଲିଥିବା ମହୋତ୍ସବମାନଙ୍କ ମଧ୍ୟରେ ଅନନ୍ୟ କରିଦେଲେ । ଆମ ସୈନିକମାନଙ୍କ ସମ୍ମାନ ହେଉ କି ହର୍ ଘର୍ ତିରଙ୍ଗା, ସ୍ୱାଧୀନତାର ଅମୃତ ମହୋତ୍ସବରେ ଲୋକେ ନିଜର ସ୍ଥାନୀୟ ଇତିହାସକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଏହି ସମୟରେ ସାମୁଦାୟିକ ସେବାର ମଧ୍ୟ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି ।
ଏହାସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଦୁଇ ଦିନ ପରେ, ଅକ୍ଟୋବର ୩୧ ତାରିଖରେ, ସର୍ଦ୍ଦାର ସାହେବଙ୍କ ଜନ୍ମଦିନରେ ହିଁ ଗୋଟିଏ ବହୁତ ବଡ଼ ଜାତୀୟସ୍ତରର ସଂଗଠନର ମୂଳଦୁଆ ପଡ଼ିବାକୁ ଯାଉଛି । ଏହି ସଂଗଠନର ନାମ ହେଉଛି “ମେରା ଯୁବା ଭାରତ” ବା ମାଇ୍ ଭାରତ । ମାଇ୍ ଭାରତ ସଂଗଠନ ଭାରତର ଯୁବବର୍ଗଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ ଆୟୋଜନରେ ନିଜର ସକ୍ରିୟ ଭୂମିକା ତୁଲାଇବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ବିକଶିତ ଭାରତର ନିର୍ମାଣରେ ଭାରତର ଯୁବ ଶକ୍ତିକୁ ଏକଜୁଟ୍ କରିବାର ଗୋଟିଏ ଅନନ୍ୟ ପ୍ରୟାସ । “ମେରା ଯୁବା ଭାରତ”ର ୱେବ୍ସାଇଟ୍ MYBharat ମଧ୍ୟ ଆରମ୍ଭ ହେବାକୁ ଯାଉଛି ।
ମୁଁ ଯୁବପିଢ଼ିଠାରୁ ଆଶା କରିବି, ବାରମ୍ବାର ଚାହିଁବି ଯେ, ଆପଣ ସମସ୍ତେ ମୋ ଦେଶର ନବଯୁବକ, ଆପଣ ସମସ୍ତେ ମୋ ଦେଶର ପୁଅଝିଅ MYBharat.Gov.inରେ ପଞ୍ଜିକରଣ କରନ୍ତୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ Sign Up କରନ୍ତୁ ।