ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତ ପାଇଁ ପର୍ବପର୍ବାଣୀରେ ଭୋକାଲ୍ ଫର୍ ଲୋକାଲକୁ ଅଗ୍ରାଧିକାର ଦେବାକୁ ଆହ୍ୱାନ ଦେଇଛନ୍ତି ପିଏମ ମୋଦି । ଏହାଦ୍ୱାରା ଆମର ଆତ୍ମନିର୍ଭର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି ।
ଆଗକୁ ଦୀପାବଳି ଆସୁଥିବାରୁ ଭାରତୀୟଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟ କିଣିବାକୁ କହିଛନ୍ତି ପିଏମ ମୋଦି । ସେ କହିଛନ୍ତି ଯେ, ଆମେ ମିଶିକରି ସେହି ସ୍ୱପ୍ନକୁ ପୂରଣ କରିବା । ଆମର ସ୍ୱପ୍ନ ହେଉଛି ଆତ୍ମନିର୍ଭର ଭାରତ । ଏଥର ସେହିଭଳି ବସ୍ତୁ ଦ୍ୱାରା ଘରକୁ ଆଲୋକିତ କରନ୍ତୁ, ଯେଉଁଥିରେ ମୋର କୌଣସି ଦେଶବାସୀର ସ୍ୱେଦର ମହକ ଥିବ, ମୋ ଦେଶର କୌଣସି ଯୁବକର ପ୍ରତିଭା ଥିବ, ସେହି ଜିନିଷ ତିଆରି ହେବାରେ ମୋ ଦେଶବାସୀ ରୋଜଗାର ପାଇଥିବେ । ଆମ ଦୈନନ୍ଦିନ ଆବଶ୍ୟକତାର ଯେକୌଣସି ଜିନିଷ ହେଉ, ଆମେ କେବଳ ଲୋକାଲ୍ ହିଁ କିଣିବା । କିନ୍ତୁ ଆଉ ଗୋଟିଏ କଥା ଉପରେ ଆପଣଙ୍କୁ ଦୃଷ୍ଟି ଦେବାକୁ ହେବ । ଭୋକାଲ୍ ଫର୍ ଲୋକାଲ୍ର ଏହି ଭାବନା କେବଳ ଉତ୍ସବ ସମୟର କିଣାକିଣି ମଧ୍ୟରେ ସୀମିତ ନୁହେଁ, କାରଣ ମୁଁ ଦେଖିଛି ଯେ, ଦୀପାବଳୀ ପାଇଁ ମାଟି ଦୀପ କିଣି ସେ କଥାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖନ୍ତି ଭୋକାଲ୍ ଫର୍ ଲୋକାଲ୍ । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଜୀବନର ପ୍ରତ୍ୟେକ ଆବଶ୍ୟକତା – ଏବେ ଆମ ଦେଶରେ ସବୁ କିଛି ଉପଲବ୍ଧ । ଏହି ଦୃଷ୍ଟିଭଙ୍ଗୀ କେବଳ ଉଠାଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ଯାଏଁ ସୀମିତ ନୁହେଁ । ଭାରତ ଆଜି ବିଶ୍ୱର ସବୁଠାରୁ ବଡ଼ ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାକୁ ଯାଉଛି । ଅନେକ ବଡ଼ ବଡ଼ ବ୍ରାଣ୍ଡ ଏଠାରେ ହିଁ ତାଙ୍କ ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି । ଆମେ ଯଦି ସେହି ପ୍ରଡକ୍ଟଗୁଡ଼ିକୁ ଆପଣାଇବା ତାହେଲେ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ପ୍ରୋତ୍ସାହିତ ହେବ । ଏହା ମଧ୍ୟ ପ୍ରକାରାନ୍ତରେ ଭୋକାଲ୍ ଫର୍ ଲୋକାଲ୍ର ଅନୁସରଣ । ଆଉ ହଁ, ଏଭଳି ପ୍ରଡକ୍ଟ କ୍ରୟ କରିବା ସମୟରେ ଆମ ଦେଶର ଗୌରବ ୟୁ.ପି.ଆଇ. ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଦ୍ୱାରା ନେଣଦେଣ କରିବା ପାଇଁ ଆଗ୍ରହୀ ହେବେ, ଏହାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବେ । ଆଉ, ସେହି ବସ୍ତୁ କିମ୍ବା ସେହି କାରିଗର ସହିତ ଉଠାଇଥିବା ସେଲ୍ଫିକୁ ନମୋ ଆପ୍ରେ ମୋ ସହ ଶେୟାର କରିବେ, ଆଉ ତାହା ବି ମେଡ୍ ଇନ୍ ଇଣ୍ଡିଆ- ସ୍ମାର୍ଟଫୋନ ଦ୍ୱାରା । ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛିକୁ ମୁଁ ସାମାଜିକ ଗଣମାଧ୍ୟମରେ ଶେୟାର କରିବି, ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଅନୁପ୍ରାଣିତ ହେବେ ।
ଯଦି ଆପଣ ଭାରତରେ ନିର୍ମିତ, ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟଗୁଡ଼ିକ ସହିତ ଦୀପାବଳୀ ପାଳନ କରିବେ, ନିଜ ପରିବାରର ପ୍ରତ୍ୟେକ ଛୋଟ-ବଡ଼ ଆବଶ୍ୟକତା ଲୋକାଲ୍ ଜିନିଷ ଦ୍ୱାରା ପୂରଣ କରିବେ, ତାହେଲେ ଦୀପାବଳୀର ଚମକ ତ ଆହୁରି ବଢ଼ିଯିବ, ତା ସହିତ ସେହି କାରିଗରମାନଙ୍କ ଜୀବନରେ ଗୋଟିଏ ନୂତନ ଦୀପାବଳୀ ଆସିବ, ଜୀବନରେ ଏକ ନବପ୍ରଭାତ ଆସିବ, ସେମାନଙ୍କ ଜୀବନ ସରସ-ସୁନ୍ଦର ହେବ । ଭାରତକୁ ଆତ୍ମନିର୍ଭର କରନ୍ତୁ । ମେକ୍ ଇନ୍ ଇଣ୍ଡିଆ ହିଁ ବାଛନ୍ତୁ, ଯାହାଫଳରେ ଆପଣଙ୍କ ସହିତ ଆହୁରି କୋଟି କୋଟି ଲୋକଙ୍କ ଦୀପାବଳୀ ମଧ୍ୟ ସୁନ୍ଦର ହେବ, ଆନନ୍ଦଦାୟକ ହେବ, ଉଜ୍ଜ୍ୱଳ ହେବ, ଉତ୍ସାହଜନକ ହେବ ।