ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଗୋଷାଣିନୂଆଗାଁର ପ୍ରସିଦ୍ଧ କାଳୁଆ ଯାତ୍ରା ଗତକାଲି ରାତିରେ ଉଦଯାପିତ ହୋଇଯାଇଛି । ମହାଳୟା ଅମାବାସ୍ୟା ଠାରୁ ୧୪ ଦିନ ଧରି ଅସ୍ଥାୟୀ ମଣ୍ଡପରେ ପୂଜା ପାଇ ଆସୁଥିବା ମା କାଳୁଆ ଯାତ୍ରା ସାରି ଗତକାଲି ବିଳମ୍ବିତ ରାତିରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତନ କରିଛନ୍ତି । ସେଥିପାଇଁ ବଡସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ଗତକାଲି ମାଙ୍କ ଶେଷ ସଂନ୍ଧ୍ୟା ଆଳତୀ ଓ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବହୁ ସଂଖ୍ୟାରେ ମାନସିକ ଦୀପ ଜାଳି ମାଙ୍କ କୃପାଭିକ୍ଷା କରିଥିଲେ ।
ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣିମାରେ ମାଙ୍କୁ ବିଦାୟ ଦିଆଯାଇଥାଏ । ଅସ୍ଥାୟୀ ମଣ୍ଡପରୁ ମା ଙ୍କ ଘଟ ବିଳମ୍ବିତ ରାତିରେ ବାହାରି ସାହି ପରିକ୍ରମା କରି ମନ୍ଦିରକୁ ଫେରିଥାନ୍ତି । ତେବେ ଚଳିତ ବର୍ଷ ଆଜିର ଦିନରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଗତକାଲି ଏହି ଯାତ୍ରା ଉଦଯାପିତ ହୋଇଛି ।