-
ଜଗନ୍ନାଥ ଓ ମହାତ୍ମା ଗାନ୍ଧୀ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଲେ ଓଡିଶାର ଗାନ୍ଧୀବାଦୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ପୁରୀ,ଗାନ୍ଧୀଜୀଙ୍କ କଥା ଉଠିଲେ ସାବରମତୀ ଆଶ୍ରମ କଥା ସର୍ବ ପ୍ରଥମେ ମନେପଡେ । ଏହି ଆଶ୍ରମ ପାଇଁ ଗୁଜରାଟର ଅହମଦାବାଦସ୍ଥିତ ସାବରମତୀ ନଦୀ କୂଳରେ ଶହେ କୋଡିଏ ଏକର ସମ୍ପତ୍ତି ମହାତ୍ମା ଗାନ୍ଧୀ ଓ ତାଙ୍କ ପୁତୁରା ମଗନଲାଲ ଗାନ୍ଧୀ ନିଜ ଅର୍ଥରେ କିଣି ଥିଲେ । ଭାରତର ଦରିଦ୍ର ଲୋକଙ୍କ ସମକକ୍ଷ ହୋଇ ମାଟି ନିର୍ମିତ କୁଡିଆ ଘରେ ଆଶ୍ରମ ଆରମ୍ଭ କରି ବାପୁ ଖଦୀ ଆଦି ସମସ୍ତ ପ୍ରକାର ରଚନାତ୍ମକ କାର୍ଯ୍ୟ ଏହିଠାରେ ଚଳାଉଥିଲେ । ବର୍ତ୍ତମାନ ଗୁଜରାଟ ସରକାର ଏହି କୁଡିଆ ଘର ସବୁ ଭାଙ୍ଗି ସେଠାରେ ବାରଶହ କୋଟି ଟଙ୍କାରେ ଏକ ସପ୍ତତାରକା ବିଶିଷ୍ଟ ଆଶ୍ରମ ନିର୍ମାଣ କରିବା ଯୋଜନା କରିଥିଲେ । ଏହାକୁ ଗାନ୍ଧୀ ବିଚାରର ସଙ୍ଗଠନମାନେ ଦେଶବ୍ୟାପୀ ବିରୋଧ କରିବା ସହ ଗୁଜରାଟ ହାଇକୋର୍ଟରେ ତୁଷାର ଗାନ୍ଧୀଙ୍କ ନେତୃତ୍ଵରେ କେସ ଚାଲିଛି ।
ତେବେ ସବୁ ଯୁଗରେ ମୀରଜାଫର ମାନଙ୍କର ଅଭାବ ନଥିବା ଆମେ ଜାଣୁ । ଗାନ୍ଧୀଜୀଙ୍କର ଏହି ଇତିହାସ ପ୍ରସିଦ୍ଧ ଆଶ୍ରମକୁ ଦଖଲ ପାଇଁ ସରକାର କଳ ବଳ କୌଶଳ ଖଟାଉଥିବା ବେଳେ ସର୍ବ ସେବା ସଂଘ ଅଥବା ସର୍ବୋଦୟ ଆନ୍ଦୋଳନର ନେତା ବୋଲି ନିଜକୁ ପରିଚୟ ଦେଉଥିବା ମହାଦେବ ବିଦ୍ରୋହୀ ନାମକ ବ୍ୟକ୍ତି ଗୁଜରାଟ ସରକାରଙ୍କ ସହ ସଲାସୁତରା କରି ଆଶ୍ରମରେ ନିଜେ ରହୁଥିବା ଅଂଶକୁ ଷାଠିଏ ଲକ୍ଷ ଟଙ୍କା ହିସାବରେ ସ୍ତ୍ରୀ ଓ ଝିଅଙ୍କ ସମେତ ବିକ୍ରୀ କରି ଏକ କୋଟି ଅଶି ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ଯେତେବେଳେ ସମଗ୍ର ଗାନ୍ଧୀ ସର୍ବୋଦୟ ପରିବାର ଓ ଦେଶବାସୀ ସରକାରୀ ଷଡଯନ୍ତ୍ର ବିରୋଧରେ, ସେତେବେଳେ ମହାଦେବ ବିଦ୍ରୋହୀ, ନୀତା ମହାଦେବ ଓ ମୁଦିତା ଏହି ଗାନ୍ଧୀ ସମ୍ପତ୍ତି ବିକ୍ରୟ କରି ସରକାରଙ୍କ ପ୍ରିୟପାତ୍ର ହୋଇଛନ୍ତି ।
ଘଟଣା ଏତିକିରେ ଅଟକି ନାହିଁ । ସନ୍ଥ ବିନୋବା ଭାବେ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ମାର୍ଗଦର୍ଶନରେ ଉତ୍ତରପ୍ରଦେଶର ବାରାଣସୀଠାରେ ରେଳ ବିଭାଗଠାରୁ କ୍ରୟ ହୋଇଥିବା ତେର ଏକର ସମ୍ପତ୍ତିରେ ସର୍ବୋଦୟ ସାଧନା କେନ୍ଦ୍ର ତିଆରି ହୋଇଥିଲା । ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ପ୍ରଥୀତଯଶା ସ୍ଵାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସର୍ବ ସେବା ସଂଘର ସଭାପତି ଭାବରେ ଏହି ସାଧନା କେନ୍ଦ୍ରର ଉନ୍ନତି ଓ ସେହିଠାରେ ଗାନ୍ଧୀ ବିଦ୍ୟା ସଂସ୍ଥାନର ଆରମ୍ଭ କରିଥିଲେ ଓ ଗୋପବନ୍ଧୁ ଚୌଧୁରୀ ମାଆ ରମାଦେବୀଙ୍କ ସୁପୁତ୍ର, ଆମ ଓଡିଶାର ବିଶିଷ୍ଟ ସର୍ବୋଦୟ ନେତା ମନମୋହନ ଚୌଧୁରୀ ସର୍ବ ସେବା ସଂଘର ସଭାପତି ଭାବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସହ ମିଶି ଏହି ସଂସ୍ଥାର ଅନେକ ବିକାଶ କରାଇଥିଲେ । ତେବେ ଉପରଲିଖିତ ମହାଦେବ ବିଦ୍ରୋହୀ ସର୍ବ ସେବା ସଂଘର ଦାୟିତ୍ଵ ନେବାପରେ ନିଜର ବ୍ୟକ୍ତିଗତ ଲାଭ ଓ ଲୋଭ ପାଇଁ ବାରାଣସୀସ୍ଥିତ ଏହି ଜମିର ସମସ୍ତ ମୂଳ ଦଲିଲ ଉତ୍ତରପ୍ରଦେଶର ଭାଜପା ସରକାରକୁ ଟେକିଦେଲେ । ଯାହାର ଫାଇଦା ନେଇ ଉତ୍ତର ପ୍ରଦେଶ ସରକାର ଓ ରେଳ ବିଭାଗ କୋର୍ଟର ଆଦେଶକୁ ଅପେକ୍ଷା ନକରି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ସ୍ଥାନକୁ ଦଖଲ କରି ତରବରିଆ ଭାବରେ ସର୍ବୋଦୟ ପ୍ରକାଶନୀର ପାଞ୍ଚ ଲକ୍ଷ ପୁସ୍ତକକୁ ଗାନ୍ଧୀ ମୂର୍ତ୍ତି ତଳେ ବାହାରେ ଫିଙ୍ଗିଦେବା ସହ ଏହି ଇତିହାସ ପ୍ରସିଦ୍ଧ କେନ୍ଦ୍ରକୁ ବୁଲଡୋଜର ଚଳାଇ ଧ୍ଵଂସ କରିଦେଲେ । ସୁପ୍ରିମ କୋର୍ଟରେ ପ୍ରଶାନ୍ତ ଭୂଷଣ ଆମ ପକ୍ଷରୁ ଏହି କେସ ଲଢ଼ୁଥିବା ବେଳେ ଜନ ଆନ୍ଦୋଳନର ନେତ୍ରୀ ମେଧା ପାଟକର, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ଆନନ୍ଦ କୁମାର, କୃଷକ ନେତା ରାକେଶ ଟିକାୟତ, ବିଶିଷ୍ଟ ଗାନ୍ଧୀବାଦୀ କୁମାର ପ୍ରଶାନ୍ତ, ବିଶିଷ୍ଟ ସାମ୍ବାଦିକ ରବିଶ କୁମାର, ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ସରକାରୀ ଜମି ଲୁଟର ବିରୋଧ କରି ସଂଗ୍ରାମ ଚଳାଇଛନ୍ତି।
ମହାଦେବ ବିଦ୍ରୋହୀଙ୍କୁ ତାଙ୍କ ଗାନ୍ଧୀ ବିରୋଧୀ କାର୍ଯ୍ୟ ପାଇଁ ବହିଃସ୍କାର କରାଯାଇଥିବା ଓ ଦେଶ ସ୍ତରରେ ସର୍ବ ସେବା ସଂଘ ଓ ରାଜ୍ୟ ସ୍ତରରେ ଉତ୍କଳ ସର୍ବୋଦୟ ମଣ୍ଡଳ କାର୍ଯ୍ୟ କରୁଥିବା ବେଳେ ମହାଦେବ ବିଦ୍ରୋହୀ ଓ ତାଙ୍କର ଚେଲାମାନେ ଚଳିତ ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇଦିନ ଧରି ପୁରୀ ଡୁଡୁୱାଲା ଧର୍ମଶାଳାଠାରେ ସର୍ବ ସେବା ସଂଘ ଅଧିବେଶନ ପାଇଁ ଏକ ପତ୍ର ଜାରୀ କରିଥିବା ଆମେ ଦେଖିବାକୁ ପାଇଲୁ । ଓଡିଶା ଗାନ୍ଧୀଜୀଙ୍କର ପ୍ରିୟ ଭୂମି । ସେ କହୁଥିଲେ ଭାରତର ସେବା ଅର୍ଥ ଓଡିଶାର ସେବା । ମହାତ୍ମା ଓଡ଼ିଶାକୁ ସମୁଦାୟ ଆଠଥର ଓ ପୁରୀକୁ ଚାରିଥର ଆସିଛନ୍ତି । ପୁରୀରୁ ତାଙ୍କର ଐତିହାସିକ ହରିଜନ ପଦଯାତ୍ରାର ଆରମ୍ଭ କରିଥିଲେ ସେ । ଓଡିଶାରେ ସେ ସବୁଠାରୁ ଅଧିକ ଏକ ସପ୍ତାହ ଧରିଡେଲାଙ୍ଗ ନିକଟ ବେରବୋଇ ଗ୍ରାମରେ ଅବସ୍ଥାନ କରିଥିଲେ । ଉତ୍କଳମଣି ତାଙ୍କର ଦ୍ଵିତୀୟ ଅବତାର ବୋଲି ଆମେ ଓଡିଆ ଲୋକେ ବିଶ୍ଵାସ କରୁ । ଗାନ୍ଧୀ ତାଙ୍କର ପ୍ରଥମ ପୁରୀ ଜିଲ୍ଲା ଗସ୍ତ କାଳରେ ସାକ୍ଷୀଗୋପାଳ ଠାରେ ଦୁର୍ଭିକ୍ଷ ପୀଡିତ କଙ୍କାଳସାର ଲୋକଙ୍କୁ ଦେଖି ନିଜର ଧୋତି କୁର୍ତ୍ତା ପୋଷାକ ଛାଡି ଅଧା ଲଙ୍ଗଳା ଫକୀରର ବେଶ ଧାରଣ କରିଥିଲେ । ତେଣୁ ଗାନ୍ଧୀଜୀଙ୍କର ଏହି ପ୍ରିୟ ଭୂମିରେ ମହାଦେବ ବିଦ୍ରୋହୀ ଓ ସେମାନଙ୍କ ସହଯୋଗୀମାନେ ଏକତ୍ର ହୋଇ ଓଡିଶା ତଥା ଦେଶରେ ଗାନ୍ଧୀ ଆନ୍ଦୋଳନର ପ୍ରଭୂତ କ୍ଷତି ଘଟାଇବାର ସମ୍ଭାବନା ରହିଥିବାରୁ ସେମାନଙ୍କୁ ମହାପ୍ରଭୁ ଜଗନ୍ନାଥ ଓ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ସଦବୁଦ୍ଧି ପ୍ରଦାନ କରନ୍ତୁ ବୋଲି ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ନବକୃଷ୍ଣ ଚୌଧୁରୀ ଓ ବିପ୍ଳବିଣୀ ମାଳତୀ ଦେବୀଙ୍କ ସୁକନ୍ୟା କୃଷ୍ଣା ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ପୁରୀ ସର୍ବୋଦୟ ମେଳା କମିଟିର ସମ୍ପାଦକ ଆଡଭୋକେଟ ଶିବ ପ୍ରସାଦ ମିଶ୍ର, ରାଜ୍ୟ ସର୍ବୋଦୟ ମଣ୍ଡଳର ମହିଳା ସେଲ ସଂଯୋଜିକା ଆନନ୍ଦିକା ସାମନ୍ତରାୟ ଓ ଗାନ୍ଧୀବାଦୀ ଯୁବ କର୍ମୀ ଡାକ୍ତର ବିଶ୍ଵଜିତ ଓ ଅନାମ ଚରଣ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବଡଦାଣ୍ଡସ୍ଥିତ ଭକ୍ତ ସାଲବେଗ ମଠ ଠାରେ ପ୍ରକାଶ କରିଛନ୍ତି ।