ବଲାଙ୍ଗିର, ରାଜ୍ୟ ସ୍ତରୀୟ କନିଷ୍ଠ ଓ ଉପ-କନିଷ୍ଠ ସ୍ତରୀୟ ଖୋଖୋ କ୍ରୀଡା ପ୍ରତିଯୋଗିତା ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ୧୯ ଅକ୍ଟୋବରରୁ ୨୨ ଅକ୍ଟୋବର ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବଲାଙ୍ଗିରର ଉପକନିଷ୍ଠ ବାଳିକା ଦଳ ରୌପ୍ୟ ପଦକ ବିଜୟ ଲାଭ କରି ଜିଲ୍ଲାର ମାନ ବଢାଇଛି । ଟିମ୍ ମ୍ୟାନେଜର ଶୁଶାନ୍ତ କୁମାର ନାଗଙ୍କ ତତ୍ଵାବଧାନରେ ବଲାଙ୍ଗିର ଖୋଖୋ ଦଳରେ ୨୪ ଜଣ ବାଳକ, ୨୪ ଜଣ ବାଳିକା, ୫ ଜଣ ମ୍ୟାଚ ଅଫିସିଆଲ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । କନିଷ୍ଠ ବାଳକ ବିଭାଗରେ ଋତିକ ମାଝି, କନିଷ୍ଠ ବାଳିକା ବିଭାଗରେ ସାଇପ୍ରୀୟା ସା, ଉପକନିଷ୍ଠ ବାଳକ ବିଭାଗରେ ପୁର ହାତୀ ନବାଗତ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି । ଉପ-କନିଷ୍ଠ ବିଭାଗର ବାଳିକା ଦଳ ଢେଙ୍କାନାଳ, କେନ୍ଦୁଝର, ବାଳେଶ୍ୱର, ଭଦ୍ରକ, ସୁନ୍ଦରଗଡ, ଖୋର୍ଦ୍ଧା କୁ ପରାସ୍ତ କରି ଫାଇନାଲରେ ପ୍ରଦାର୍ପଣ କରି ଉପ-ବିଜେତା ଘୋଷିତ ହୋଇଥିଲେ । ସେହିପରି କନିଷ୍ଠ ବାଳକ ବର୍ଗ ଅନୁଗୁଳ, କଟକ ଓ ଗଞ୍ଜାମକୁ ପରାସ୍ତ କରି କ୍ଵାଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଥିଲା । ବାଳିକା ଦଳ ଢେଙ୍କାନାଳ ଓ କେନ୍ଦ୍ରାପଡାକୁ ହରାଇ କ୍ଵାଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଥିଲା । ବିଜେତା ଉପ-କନିଷ୍ଠ ବାଳିକା ଦଳ ବଲାଙ୍ଗିର ପହଞ୍ଚିଲା ପରେ ରେଲୱେ ଷ୍ଟେସନରେ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଜିଲ୍ଲା କ୍ରୀଡା ସଂସଦ ର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଫୁଟବଲ ପ୍ରଶିକ୍ଷକ ଶ୍ରୀକାନ୍ତ ରାଉତ, ଜିଲ୍ଲା ଖୋଖୋ ପ୍ରଶିକ୍ଷକ ପଦ୍ମଚରଣ ଦାଶ, ସାଗର ଦେହୁରି, ପୁରନ୍ଦର ସେଠ, ପ୍ରଦ୍ୟୁମ୍ନ ରାଉତ, ରାଜିବ ବେହେରା, ଅଞ୍ଜନ ବେହେରା, ସୁଖିରାଜ ବିଶ୍ଵାଳ, ଲକ୍ଷ୍ମୀ ମଲ୍ଲିକ, ସୁଜାତା ମଲ୍ଲିକ, ହୃଦୟ ସବର ଓ ମୁନସି ସୋରେନ୍ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ସାଧୁବାଦ ଜଣାଇଥିଲେ ।