ମୁମ୍ବାଇ, ମହାରାଷ୍ଟ୍ରର ବିଡ ଜିଲ୍ଲାରେ ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ 10ଜଣଙ୍କ ମୃତ୍ୟୁ ହୋଇଛି । ଏକ ଆମ୍ବୁଲାନ୍ସ ଓ ଟ୍ରକ ମଧ୍ୟରେ ଧକ୍କା ଯୋଗୁ ଡାକ୍ତରଙ୍କ ସମେତ 4ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଅନ୍ୟ ଏକ ଦୁର୍ଘଟଣାରେ ସାଗର ଟ୍ରାଭେଲ୍ସ ନାମକ ଏକ ପ୍ରାଇଭେଟ୍ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି, ଯେଉଁଥିରେ 6ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 9ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ବିଡ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ ସୂଚନା ମୁତାବକ ବିଳମ୍ବିତ ରାତିରେ ଧାମନଗାଓଁରୁ ଅହମଦନଗର ଯାଉଥିବା ରାସ୍ତାରେ ଦୌଲାୱଡଗାଓଁ ନିକଟରେ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିଲା । ଆମ୍ବୁଲାନ୍ସରେ ରୋଗୀକୁ ନେଇ ଡାକ୍ତର ରାଜେଶ ବାବାସାହେବ ଝିଜୁର୍କେ ଯାଉଥିଲେ ।
ସେହିପରି ବୁଧବାର ବିଳମ୍ବିତ ରାତିରେ ଜାମଖେଡ- ଅହମଦନଗର ରାସ୍ତାରେ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତହୋଇଥିଲା । ଘଟଣାସ୍ଥଳରେ ହିଁ 6ଜଣଙ୍କର ମୃତ୍ୟୁ ହୋଇଛି ।