ଗଞ୍ଜାମ, ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ରେଶମ ସହର ବ୍ରହ୍ମପୁର । ବ୍ରହ୍ମପୁର ସହର ଏବଂ ଏହାର ଉପକଣ୍ଠରେ ଛୋଟ ବଡ ହୋଇ ୩୦ରୁ ଅଧିକ ଦୁର୍ଗାମଣ୍ଡପରେ ମୃଣ୍ମୟୀ ଦେବୀ ମା ଦୁର୍ଗା ପୂଜା ପାଉଛନ୍ତି । ଆଜି ବିଜୟା ଦଶମୀରେ ତଥା ପୂଜାର ଉଦଯାପନୀ ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦୁର୍ଗା ମଣ୍ଡପ ଓ ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରୁଛନ୍ତି । ଏତଦ୍ ବ୍ଯତୀତ ପୁରପଲ୍ଲୀରେ ଘରେ ଘରେ ସଜ ବସାଇ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ଦେବୀ ସରସ୍ଵତୀଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଯଥା ମା ବୁଢୀ ଠାକୁରାଣୀ, କାଳୁଆ, ମା ଖମ୍ବେଶ୍ଵରୀ, ମା ଭୈରବୀ, ମା ତାରାତାରିଣୀ, ମା ବାଳକୁମାରୀ ଇତ୍ୟାଦି ଶକ୍ତିପୀଠରେ ରୀତିନୀତି ମୁତାବକ ମାଙ୍କ ବିଜୟା ଦଶମୀ ପୂଜା ଚାଲିଛି । ଆଜି ସଂନ୍ଧ୍ୟାରେ ନବରାତ୍ର ପୂଜା ଉଦଯାପିତ ହେବ । ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।