ପୁରୀ, ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାର ମାହୋଲ । ଅନେକ ସାହିରେ ବିରାଟକାୟ ଦୁର୍ଗା ମେଢ ସ୍ଥାପନ ହୋଇ ପୂଜିତ ହେଉଛନ୍ତି । ଆଜି ଦଶହରାରେ ମାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ମଣ୍ଡପ ଓ ଦେବୀ ପୀଠରେ ସହରବାସୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହରଚଣ୍ଡୀ ସାହି ଯାଗାର ବାରବାଟୀ ଠାକୁରାଣୀ, ମହନ୍ତେଶ୍ଵରୀ, ବନଦୁର୍ଗା, ମହାସୁଆରସାହି ଠାକୁରାଣୀ, ଗେଲବାଇ, ତ୍ରିପୁରା ସୁନ୍ଦରୀ, ମା ହରଚଣ୍ଡୀ, ମା ଚକ୍ରକୋଟ, ମା ଖଜୁରୀ ଗୋସାଣୀ, ମାଟିମଣ୍ଡପ ସାହିର ଭୋଗଯାଗା, ମା ଶୂନ୍ୟ ଗୋସାଣୀ, ଦୋଳମଣ୍ଡପ ସାହିର ମା ଜହ୍ନିଖାଇ, କରତିସାହି ଠାକୁରାଣୀ, ବାସେଳୀ ସାହିର ମା ବନଦୁର୍ଗା ଓ ମା ପଣାପ୍ରିୟା, ଗୌଡ଼ବାଡ଼ ସାହିର ମା ଜହ୍ନିଖାଇ, ତିଆଡ଼ି ସାହିର ମା ହାଡ଼ବାଇ, ଖୁଂଟିଆ ସାହିର ମା ବେଲବାଇ, ଗୁଡ଼ିଆ ସାହିର ମା ଜମକୋଟ ଓ ଗେଲବାଇ ମୂର୍ତି ପୂଜା ପାଉଛନ୍ତି । ସେହିପରି ବଡ଼ଶଙ୍ଖ ଠାରେ ମା ଶଙ୍ଖେଶ୍ଵରୀ, ମାର୍କେଟ ଛକ ଓ ଷ୍ଟେସନରେ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଉଛନ୍ତି । ମଣ୍ଡପ ଗୁଡିକରେ ଆଜି ମୃଣ୍ମୟୀ ଦେବୀଙ୍କ ଦଶହରା ପୂଜା ଅନୁଷ୍ଠିତ ହେଉଛି । ପୂଜା ମଣ୍ଡପରେ ମେଢ ଗୁଡ଼ିକ ଜିଙ୍କ ଜରି ଓ ଜମ୍ବୁରାରେ ନିର୍ମିତ ହୋଇଥିବା ବେଳେ ରଙ୍ଗୀନ ଆଲୋକମାଳାରେ ସେଗୁଡିକ ଝଲସି ଉଠୁଛି । ଏଥିସହ ବିଭିନ୍ନ ସାହିରେ ନାଗା ମେଢ ଶୋଭାବର୍ଦ୍ଧନ କରୁଛନ୍ତି । ବଡ଼ଦାଣ୍ଡରେ ମାଜଣା ଯାଗାରେ ନାଗାମେଢକୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଦର୍ଶନ କରୁଛନ୍ତି ।
ଆସନ୍ତା କାଲି ସଂଧ୍ୟାରେ ସିଂହଦ୍ଵାର ସମ୍ମୁଖରେ ଗୋସାଣୀ ମେଲଣ ବା ଦେବ ସଭା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।