
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା କଂଟାବାନ୍ଜି ଅନ୍ତର୍ଗତ ତୁରେକେଲା ବ୍ଲକ ମହୁଲବାହାଲି ଗ୍ରାମରେ ଆଜି ଶୌଚ ହେବା ପାଇଁ ଯିବା ସମୟରେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ମହୁଲ ବାହାଲି ଗ୍ରାମର ରାମସାଏ ମାଝୀ ।
ସୂଚନା ଅନୁସାରେ, ଆଜି ସକାଳ ୬ ଟାରେ ରାମ ସାଏ ନିଜ ସଂପର୍କୀୟମାନଙ୍କ ସହ ବିଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏହି ସମୟରେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ରାମ ସାଏଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ସଂପର୍କୀୟମାନେ ଉଦ୍ଧାର କରି ପ୍ରଥମେ କଂଟାବାଂଜି ଓ ବର୍ତ୍ତମାନ ବଲାଙ୍ଗିର ମେଡ଼ିକାଲକୁ ଆଣି ଭର୍ତ୍ତି କରିଥିବା ସୂଚନା ମିଳିଛି । ଅନ୍ୟପଟେ ସେହି ଅଚଂଳରେ ଏବେ ବି ଭାଲୁମାନେ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ଜଣାପଡିଛି । ତେବେ ଏଥିପ୍ରତି ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।