-
ଆଇନର ଧମକ ଦେଖାଇ ନିଜର ଅନୈତିକ କାମକୁ ଲୁଚା ଯାଇ ପାରିବ ନାହିଁ
ଭୁବନେଶ୍ୱର, କ୍ୟାସ ଫର କ୍ୱେରୀ ଅଭିଯୋଗ ପ୍ରସଙ୍ଗରେ ପୁରୀ ସାଂସଦଙ୍କ ସ୍ପଷ୍ଟୀକରଣ ପରେ ସିବିଆଇ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ତାଙ୍କ ନାଁ ଅଛି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି ପ୍ରବକ୍ତା ଅନିଲ ବିଶ୍ବାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଲେଖିଛନ୍ତି, “ପୁରୀ ସାଂସଦଙ୍କ ସ୍ପଷ୍ଟୀକରଣ ଗଣମାଧ୍ୟମରୁ ପାଇଲି l ସେ ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ ସିବିଆଇ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ତାଙ୍କ ନାଁ ଅଛି କି ନାହିଁ l ଆମେ ଯାହା ବି କହିଥିଲୁ ତାହା ସେହି ଦୁଇଟି ସତ୍ୟପାଠକୁ ଆଧାର କରି କହିଥିଲୁ l ଆଇନ ବିଷୟରେ ଆମର ମଧ୍ୟ ଜ୍ଞାନ ଅଛି l କେହି କଣ ଆଇନର ଧମକ ଦେଖାଇ ନିଜର ଅନୈତିକ କାମକୁ ଲୁଚାଇ ପାରିବ କି? ନା ଆମେ କାହାର ମିଛ ଧମକରେ ଡରିଯିବୁ ! ”
ସେ କହିଛନ୍ତି ଯେ , ”କିଛି କଥା ଏବେ ଦିଲ୍ଲୀରେ ହାଟରେ ପଡି ଦାଣ୍ଡରେ ଗଡ଼ିଲାଣି l ଏହା ଓଡିଶା ଲୋକଙ୍କୁ ଯେତିକି ଚିନ୍ତିତ କରିଛି ତାଠାରୁ ବେଶି ଓଡିଶାକୁ ଜାତୀୟ ସ୍ତରରେ ନିନ୍ଦିତ କରିଛି l କ୍ୟାସ ଫର କ୍ୱେରୀ ଭଳି ସଙ୍ଗୀନ ଅଭିଯୋଗରେ ଜଣେ ସାଂସଦ ଭାବରେ ତାଙ୍କ ନାଁ ଆସିବା ତାଙ୍କୁ ଚିନ୍ତିତ କରୁନାହିଁ କି? ଆମେ, ପୁରୀ ସଂସଦୀୟ କ୍ଷେତ୍ରର ଲୋକମାନେ ଏବେ ଜାଣିବା ପାଇଁ ଚାହୁଁଛୁ ଯେ ସେମାନେ ଯେଉଁ ଉଦ୍ଦେଶ୍ୟରେ ତାଙ୍କୁ ଭୋଟ ଦେଇ ସଂସଦକୁ ପଠାଇ ଥିଲେ ତାହା ସେ ପୂରଣ କରିପାରିଲେ ନା ଆଉ କିଛି ଏଭଳି କଲେ ଯାହା ପାଇଁ ସାରା ଓଡିଶା ଆଜି ନିନ୍ଦିତ ହେବାକୁ ଯାଉଛି? ଏକଥାର ସ୍ପଷ୍ଟୀକରଣ ସେ ଓ ତାଙ୍କ ଦଳ, ବିଜୁ ଜନତା ଦଳ କେବେ ଦେବ? ”