ଭୁବନେଶ୍ୱର, ବହୁଚର୍ଚ୍ଚିତ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲରେ ସଂପୃକ୍ତି ଏବଂ ସାଂସଦ ମହୁଆ ମୈତ୍ରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବିଜେପି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ସମାଲୋଚନା କରିଥିବା ବେଳେ ସେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ବିନା ପ୍ରମାଣରେ ବିଜେପି ଅଭିଯୋଗ କରୁଛି । ଏହା ଦୁର୍ଭାଗ୍ୟଜନକ ବୋଲି ଏକ ପ୍ରେସ ରିଲିଜ ଜରିଆରେ ସାଂସଦ ପିନାକୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ।
ସେ ଲେଖିଛନ୍ତି ଯେ ବିନା ପ୍ରମାଣରେ ବିଜେପି ଅଭିଯୋଗ କରିବା ଦୁର୍ଭାଗ୍ୟଜନକ । ଶସ୍ତା ପ୍ରଚାରରୁ ନିବୃତ ରହୁ ବିଜେପି । ସର୍ବସାଧାରଣରେ ଉପଲବ୍ଧ ଏବଂ ପ୍ରମାଣିତ ହୋଇନଥିବା ଅଭିଯୋଗ ଆଧାରରେ ବିଜେପି ସମାଲୋଚନା କରିଛି । ୨୫ ବର୍ଷ ଧରି ମୁଁ ସାଂସଦ ଭାବେ ଜନସେବା କରିଛି । ବିଜେପି ଟିଭିରେ ମୁହଁ ଦେଖାଇବା ପାଇଁଁ ଏଭଳି ଶସ୍ତା ରାଜନୀତି କରିବା ଅପେକ୍ଷା ରାଜନୈତିକ ସ୍ତରରେ ଲଢେଇ କରୁ ବୋଲି ସେ କହିଛନ୍ତି । ଏହାସହ ଏଥିପାଇଁ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପିନାକୀ କହିଛନ୍ତି ।