ପଲାମୁ (ଝାଡ଼ଖଣ୍ଡ), ଉତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାରେ ଯମୁନା ଏକ୍ସପ୍ରେସ-ୱେ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ସମସ୍ତେ ଝାଡ଼ଖଣ୍ଡର ପଲାମୁ ଥାନା ଅନ୍ତର୍ଗତ ହୁସୈନାବାଦର ଜପଲା କଚରା ଗ୍ରାମର ବୋଲି ଜଣାପଡିଛି । ଦୁର୍ଗା ପୂଜା ଅବସରରେ ଏମାନେ ଦିଲ୍ଲୀରୁ ପଲାମ ସ୍ଥିତ ଘରକୁ ଫେରୁଥିଲେ ।
କୁହାଯାଉଛି ଯେ, ଏହି ଗାଡିରେ ୮ ଜଣ ଲୋକ ଯାତ୍ରା କରୁଥିଲେ । ତନ୍ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୩ ଶିଶୁ ଗୁରୁତର ହୋଇଛନ୍ତି । ଆହତ ମାନଙ୍କୁ କୈଳାସ ହସ୍ପିଟାଲ ଜେବର ରେ ଭର୍ତି କରାଯାଇଛି । ମୃତକ ମାନେ ହେଲେ ଉପେନ୍ଦ୍ର ବୈଠା (୩୮), ବିଜେନ୍ଦ୍ର ବୈଠା (୩୬), କାନ୍ତି ଦେବୀ (୩୦), ଜ୍ୟୋତି (୧୨) ଏବଂ ଶ୍ରୀକାନ୍ତ କାମତ ବୈଠା (୪୫) । ଆହତ ମାନେ ହେଲେ ସୁରଜ (୧୬), ଆୟୁଷ (୮) ଏବଂ ଆର୍ୟ୍ୟନ (୧୦) । ମୃତାହତ ମାନେ ସମସ୍ତେ ଜେଜେ କଲୋନୀ ଫେଜ୍ -୩ ମଦନପୁର ଖାଦର ଥାନା କାଳିନ୍ଦୀ କୁଞ୍ଜ ସାଉଥ ଦିଲ୍ଲୀରେ ରହୁଥିଲେ । କୁହାଯାଉଛି ଯେ, ଗ୍ରେଟର ନୋଏଡା ରବୁପୁରା ଥାନା ଅଂଚଳରେ ଯମୁନା ଏକ୍ସପ୍ରେସ-ୱେ ରେ ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ସେତେବେଳେ ହୋଇଥିଲା, ଯେତେବେଳେ କି ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଏହି କାର୍ କୁ ଧକ୍କା ଦେଇଥିଲା । ଏମାନେ ସମସ୍ତେ ଯମୁନା ଏକ୍ସପ୍ରେସ-ୱେ ରାସ୍ତାରେ ଦିଲ୍ଲୀରୁ ଝାଡ଼ଖଣ୍ଡ ଅଭିମୁଖେ ଏହି କାର୍ ଯୋଗେ ଯାଉଥିଲେ ।