
ଭୁବନେଶ୍ୱର, ଓଡ଼ିଶାର ବିଶିଷ୍ଟ ଏ୍ୟୌତିହାସିକ, ଗବେଷକ, ପ୍ରତ୍ନତତ୍ୱବିତ୍୍, ସୁଲେଖକ, କେଦାରନାଥ ମହାପାତ୍ରଙ୍କ ୧୨୨ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଶନିବାର ପ୍ରତ୍ୟୁଷରେ ପୁରୁଣା ଭୁବନେଶ୍ୱର କେଦାରନାଥ ଗବେଷଣା ପ୍ରତିଷ୍ଠାନ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଅଧ୍ୟାପକ ଡକ୍ଟର ରଙ୍ଗାଧର ସାହୁ, ବିଶ୍ୱବ୍ୟାଙ୍କର ଅଧିକାରୀ ଅଶ୍ୱିନୀ କୁମାର ସାହୁ, ଜୟ ଓଡ଼ିଶା ପକ୍ଷରୁ ହରପ୍ରିୟା ପଟ୍ଟଯୋଶୀ, ଜ୍ୟୋତିରଂଜନ ନାୟକ, ସତ୍ୟବ୍ରତ ଜେନା, ସମାଜସେବୀକା ବନଜା ବେହେରା, ଅମିତ୍ ପାତାଳସିଂହ, ସ୍ୱର୍ଗତ ମହାପାତ୍ରଙ୍କ ନାତି ଉମେଶ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ କେଦାରନାଥବାବୁ ଶିକ୍ଷକତା ପରିତ୍ୟାଗ କରି ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟକରି ପାଦରେ ଚାଲିଚାଲି ପ୍ରାଚୀ ନଦୀର ସମସ୍ତ ଅଂଚଳ ଗସ୍ତ କରି ପ୍ରାଚୀ ଏ୍ୟୌତିହ୍ୟ ଉପରେ ଗବେଷଣା କରିବା ସହ ବହୁ ଅନାଲୋଚିତ ଦିଗକୁ ଜନମାନସକୁ ଆଣିଥିଲେ । ଜୟଦେବଙ୍କ ଜନ୍ମସ୍ଥାନ ବିବାଦ ପରିପ୍ରେକ୍ଷୀରେ ତାଙ୍କ ପ୍ରାମାଣିତ ଲେଖାରେ ଭକ୍ତକବି ଜୟଦେବ ଓଡ଼ିଶାର ବୋଲି ସେ ପ୍ରମାଣିତ କରିଥିଲେ । ରାଜ୍ୟର ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମୃର୍ତି କାରିଗର ହୃଷିକେଶ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ।