ଭୁବନେଶ୍ୱର,ଭଦ୍ରକ ଜିଲ୍ଲାରେ ବୃହତ ପାନୀୟଜଳ ପ୍ରକଳ୍ପ ନାଁରେ ୧୨୪ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।
ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ମନୋଜ ବିଶ୍ୱାଳ ଆଜି ଏହି ଘୋଟାଲାକୁ ନେଇ ପଂଚାୟତ ବିଭାଗର ସଚିବଙ୍କୁ ପତ୍ର ଲେଖିଛନ୍ତି । ଶ୍ରୀ ବିଶ୍ୱାଳ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଏତେବଡ଼ ଘୋଟାଲା ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳଯୋଗାଣ ବରିଷ୍ଠ ଅଧିକାରୀଙ୍କ ନାକ ତଳେ କିପରି ହେଲା କାହିଁକି ଏତେ ଅଧିକ ଅର୍ଥ ରାଶି ପ୍ରଦାନ କରାଗଲା । ଏଥିରେ କେଉଁମାନେ ଉପକୃତ ହୋଇଛନ୍ତି, କାହାର ଭାଗ କେତେ ଏହିପରି ଭାବରେ ରାଜ୍ୟରେ ୫-ଟି ବ୍ୟବସ୍ଥା ଚାଲିଛି । ଏହି ଚିଠିର ନକଲ ରାଜ୍ୟ ପଂଚାୟତ ରାଜ ଏବଂ ଜଳଯୋଗାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସ୍ପେସାଲ ସେକ୍ରେଟାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ପ୍ରଦାନ କରାଯାଇଛି । ଶ୍ରୀ ବିଶ୍ୱାଳ ସରକାରଙ୍କୁ ୭ ଦିନର ମହଲତ ଦେଇଛନ୍ତି । ୭ ଦିନ ଭିତରେ ଯଦି ଦୁର୍ନୀତିର ପର୍ଦାଫାଶ ନହୁଏ ଏବଂ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ସେ ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ସେ ଅଭିଯୋଗ କରିଛନ୍ତି ଯେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ତିହିଡ଼ି ଏବଂ ବାସୁଦେବପୁର ଓ ଧାମନଗରର ୯୧ଟି ପଂଚାୟତର ପାନୀୟଜଳ ଯୋଗାଇବା କାମର ଠିକା ଓଡ଼ିଶା ସରକାରଙ୍କର ପଂଚାୟତ ରାଜ ଓ ପାନୀୟଜଳ ପ୍ରକଳ୍ପ ଅଧିନରେ ଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଉକ୍ତ ଠିକା କାର୍ଯ୍ୟକୁ ହାଇଦ୍ରାବାଦର ମେଘା ଇଂଜିନିୟରିଂ ଓ ଇନଫ୍ରାଷ୍ଟ୍ରଚର କମ୍ପାନୀକୁ ୨୦୧୯ ମସିହା ଫେବୃଆରୀ ୧୫ ତାରିଖରେ ଦେଇଥିଲେ । ଏହି କାର୍ଯ୍ୟର ଠିକାମୂଲ୍ୟ ୭୫୪ କୋଟି ଟଙ୍କା ଥିଲା । ଏହି କାର୍ଯ୍ୟକୁ ରାଜ୍ୟ ସରକାରଙ୍କର ତୃତୀୟପକ୍ଷ ଅଥରଟି ଅଫ ଇଞ୍ଜିନିୟିରିଂ ଦ୍ୱାରା ନିଯୁକ୍ତ ହୋଇଥିବା ଇଂଜିନିୟରିଂ ସଂସ୍ଥା ସଂପୂର୍ଣ୍ଣ ତଦାରଖକରି ରିପୋର୍ଟ ଦେଲାପରେ ଅର୍ଥରାଶି ପ୍ରଦାନ କରାଯିବା କଥା । କିନ୍ତୁ ଏହି ସଂସ୍ଥା ଆଜି ପର୍ଯ୍ୟନ୍ତ ମାତ୍ର ୭୫% କାମ କରି ୯୩ ଭାଗ ଅର୍ଥରାଶି ନେଇସାରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୬୮୭ କୋଟି ଟଙ୍କା କିନ୍ତୁ ନିୟମ ଅନୁସାରେ ତାଙ୍କୁ ଏତେ ଅର୍ଥରାଶି ପ୍ରଦାନ କରାଯିବା କଥା ନୁହେଁ । ଏଥିରେ ୧୨୪ କୋଟି ଟଙ୍କା ଅଧିକ ଅର୍ଥରାଶି ଠିକାଦାରକୁ ଦିଆ ସରିଛି ।