ଭୁବନେଶ୍ୱର, ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ୨୦୨୨ ମସିହାରେ ସରକାର କହିଥିଲେ । ରାଜ୍ୟରେ ଘର ସଂଖ୍ୟା ୮୮ଲକ୍ଷ ୩୩,୫୩୬ । ପାଇପ ଜଳ ସଂଯୁକ୍ତ ଘର ୨୦୨୨ସୁଦ୍ଧା ୪୪ପ୍ରତିଶତ ଥିଲାବେଳେ ବର୍ତମାନ ୨୦୨୩-୨୪ରେ ଏହା ୫୮ପ୍ରତିଶତ ବୋଲି କୁହାଯାଉଛି । ଅଧିକାଂଶ ଗାଁ ଓ ପଡା ଗାଁରେ ଟ୍ୟାପ ପାଇପର ଜଳ ସଂଯୁକ୍ତ ହୋଇନାହିଁ । ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ୱ ବିକାଶ କାହାଣୀ ବୋଲି ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ଓଡିଶା ଦେଶର ଚତୁର୍ଥ ଡାଇରିଆ ପ୍ରବଣ ରାଜ୍ୟ । ନିକଟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ପଂଚଧାରା ଅଂଚଳର ୪ଟି ଗାଁ(ଧଣ୍ଡାତୋଗା, ବାସୁଦେବପୁର, ଆରାମପୁର, ଅମାସମାବାଶି)ରେ ପାନୀୟ ଜଳ ସଂକଟରୁ ୯୦ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକ କିଡନି ରୋଗାକ୍ରାନ୍ତ ହେଲାବେଳେ ୧୮ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବଲାଙ୍ଗିର ଜିଲ୍ଲାର ବ୍ରୁଡା, ବାଦିବାହାଲ, କଦଳୀପାଲି, ଅଗଲାପାଲି, ଭାଲୁପାଲି ଆଦି ଅଂଚଳରେ ୩୦ପ୍ରତିଶତରୁ ଅଧିକ ଲୋକ କିଡନି ରୋଗରେ ଆକ୍ରାନ୍ତ ।
ରାଜ୍ୟକୁ ୨୦୨୧-୨୨ ରୁ ୨୦୨୫-୨୬ମଧ୍ୟରେ ପଂଚଦଶ ଅର୍ଥକମିଶନ ୫୨୮୦କୋଟି ଗ୍ରାଂଟ ଆସିଥିଲାବେଳେ ୨୦୧୯-୨୦ରୁ ୨୦୨୩-୨୪ମଧ୍ୟରେ ଜଳ ଜୀବନ ମିଶନରେ ୧୦,୨୧୫କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଥିବାବେଳେ ରାଜ୍ୟ ସରକାର ୨୦୨୦-୨୧ରେ ୨୦୩କୋଟି, ୨୦୨୧-୨୨ରେ ୮୩୦ କୋଟି, ୨୦୨୨-୨୩ରେ ୧,୮୩୯କୋଟି ଟଙ୍କା ମୋଟ ୨,୮୬୩କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅଯୋଗ୍ୟତା ଓ ଅପାରଗତା କାରଣରୁ ଖର୍ଚ୍ଚ ନହୋଇ ଫେରିଯାଇଛି ।
ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ପଂଚଦଶ ଅର୍ଥ କମିଶନ ଓ ଜଳଜୀବନ ମିଶନ ଅର୍ଥ ସମ୍ପର୍କରେ ସାଧାରଣରେ ଉଲ୍ଲେଖ କରିବା ପରିବର୍ତେ ବସୁଧା ଯୋଜନାରେ ଲୋଗୋ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପ୍ରଦର୍ଶନ କରିବାରେ ବ୍ୟସ୍ତ ଅଥଚ କେନ୍ଦ୍ର ସରକାରଙ୍କ ଲୋଗୋ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ । ରାଜ୍ୟ ସରକାର ବିଭିନ୍ନ ମେଗା ୱାଟର ସପ୍ଲାଏ ପ୍ରୋଜେକ୍ଟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯାହାକି ମହାଦୁର୍ନୀତିର ମେଗାଉତ୍ସ । ଏ ସମ୍ପର୍କରେ ଶହ ଶହ ପ୍ରକଳ୍ପ ମଧ୍ୟରୁ ମେଗା ଦୁର୍ନୀତି ବିଷୟରେ ଗୋଟିଏ ଉଦାହରଣ ଯଥେଷ୍ଟ ହେବ । ଭଦ୍ରକ ଜିଲ୍ଲା, ଚାନ୍ଦବାଲି, ତିହିଡି, ବାସୁଦେବପୁର, ଧାମନଗର ଅଚଂଳରେ ହାଇଦ୍ରାବାଦ ସ୍ଥିତ ମେଗା ଇଣ୍ଡଷ୍ଟ୍ରି ଆଣ୍ଡ ଇନ୍ଫାଷ୍ଟକ୍ଟର କମ୍ପାନୀ ସହ ରାଜ୍ୟ ସରକାର ୨୦୧୯ରେ ଚୁକ୍ତି କରିଥିଲେ । ୨୦୧୪ ଫେବୃୟାରୀ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାରେ ଥିଲେ ମଧ୍ୟ ଧାର୍ଯ୍ୟ ସମୟର ଅଢ଼େଇବର୍ଷ ପରେ ବି ମାତ୍ର ୭୬ପ୍ରତିଶତ ସମ୍ପର୍ଣ୍ଣ ହୋଇଛି । ପ୍ରକଳ୍ପର ଆକଳନ ମୂଲ୍ୟ ୭୫୦କୋଟି ଟଙ୍କା ଥିଲାବେଳେ ଚୁକ୍ତିର ୯୩ପ୍ରତିଶତ ୬୯୩କୋଟି ଟଙ୍କା ସମ୍ପୃକ୍ତ କମ୍ପାନୀକୁ ଦିଆସରିଛି । ରାଜ୍ୟ ସରକାର ଦାବି କରୁଛନ୍ତି ୯,୬୭୧ଗାଁକୁ ଶତପ୍ରତିଶତ ଟ୍ୟାପଜଳ ଯୋଗାଇ ଦିଆଯାଇଛି । ବାସ୍ତବ ସ୍ଥିତି ଅଲଗା ।
ରାଜ୍ୟ ସରକାର ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକଙ୍କୁ ମୁନ୍ଦାଏ ପାଣି ଦେବାରେ ଅସମର୍ଥ । ଯଥାଶୀଘ୍ର ଯୁଦ୍ଧକାଳୀନ ଭିତିରେ ରାଜ୍ୟର ସମସ୍ତ ଗାଁ ଓ ପରିବାରକୁ ଟ୍ୟାପ ୱାଟର ଯୋଗେ ଜଳଯୋଗାଣ କରାଯାଉ । କେନ୍ଦ୍ରୀୟ ଅନୁଦାନର ସମ୍ପୂର୍ଣ୍ଣ ବିନିଯୋଗ ହୋଇନଥିବା ଅର୍ଥ ଓ ସରେଣ୍ଡର ହେଉଥିବା ଅର୍ଥ ପାଇଁ କାର୍ଯ୍ୟାନୁଷ୍ଠାନ କରାଯାଉ । ଫ୍ଲୋରାଇଡ ଓ ପ୍ରଦୂଷିତ ଜଳଉତ୍ସ ଗାଁରେ ଅଗ୍ରାଧିକାର ଭିତିରେ ପାନୀୟ ଜଳଯୋଗାଣ କରାଯାଉ । କେନ୍ଦ୍ରୀୟ ନିର୍ଦ୍ଦେଶ ନାମା ଅନୁସାରେ ପ୍ରତ୍ୟେକ ଗାଁରେ ଗ୍ରାମ୍ୟ ଜଳପରିମଳ କମିଟି ଗଠନ ହେଉ । ମାତ୍ରାଧିକ ଅର୍ଥ ବ୍ୟୟ ବ୍ୟବସ୍ଥା ଓ ଦୁର୍ନୀତି, ଭ୍ରଷ୍ଟାଚାର ବନ୍ଦ କରି ସୁଖି ଓଡିଶା କୁହାଯାଉଥିବା ଦୁଃଖି ଲୋକଙ୍କୁ ମୁନ୍ଦାଏ ପାଣି ଦେବା ପାଇଁ ସର୍ବନିମ୍ନ ଆନ୍ତରିକତା ଓ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।