ମାଲକାନଗିରି, ଜିଲ୍ଲା ପ୍ରଶାସନ ମାଲକାନଗିରି ଆନୁକୂଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ୧୭/୧୦/୨୦୨୩ ଠାରୁ ଆୟୋଜିତ ହୋଇ ଆସୁଥିବା କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ୨୦୨୩ ଆଜି ଉଦଯାପିତ ହୋଇଯାଇଛି। ଏହି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବରେ ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ପୌର ପରିଷଦରୁ ଆସିଥିବା ୫୦୦ କିଶୋରୀବାଳିକା ଅଂଶଗ୍ରହଣ କରି ସେମାନଙ୍କର କ୍ରୀଡା ଓ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ଭାରତ ସରକାରଙ୍କର ବେଟି ବଚାଅ ବେଟି ପଢ଼ାଅ ଯୋଜନା ଓ ଓଡିଶା ସରକାରଙ୍କ ବିଜୁ କନ୍ୟାରତ୍ନ ଯୋଜନାକୁ ଆଧାରକରି ଏହି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବର ଉଦଯାପନୀ ସମାରହରେ ମୁଖ୍ୟ ଅତିଥି ଭାବେ ବିଧାୟକ ମାଲକାନଗିରି ଆଦିତ୍ୟ ମାଢି ଯୋଗଦେଇ ସରକାରଙ୍କର ଏହି ସୁନ୍ଦର ଯୋଜନା ବେଟି ବଚାଓ ଓ ବେଟି ପଢ଼ାଓ ର ଯେଉଁ ମହତ ଉଦ୍ଦେଶ୍ୟ ରହିଛି ଏହା ଉପରେ ଆଲୋକପାତ କରିବା ସଂଗେ ସଂଗେ ଝିଅ ମାନଙ୍କ ମଧ୍ୟରେ ଥିବା ବହୁମୁଖୀ ପ୍ରତିଭାର ପରିପ୍ରକାଶ ପାଇଁ ଏହି ଉଦ୍ୟମ ଅତ୍ୟନ୍ତ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପଦକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।
ଏହି ଉଦଯାପନୀ ମହୋତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତ୍ରିନାଥ ମାଝୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ୍ୟା ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।