-
ସିକିମ୍ ରୟତ ମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୀତିଗତ ନିଷ୍ପତି; ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ୱରର ୨ ଲକ୍ଷ ଚାଷୀ
-
ହୀରାକୁଦ ବାସଚ୍ୟୁତ ଲୋକମାନଙ୍କ ଜମି ସମସ୍ୟାର ହେବ ସମାଧାନ – ହାଇଟେକ୍ ସର୍ଭେ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତି ନେଇଛନ୍ତି । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତି ନିଆଯାଇଛି । ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତି ହୋଇଥିଲା ।
ହୀରାକୁଦ ପ୍ରକଳ୍ପ ଯୋଗୁ ବାସଚ୍ୟୁତ ହୋଇଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଂଟିକତରବଗା, ଯୋଗୀପାଲ୍ଲୀ, ସପନେ ଗ୍ରାମରେ ହାଇଟେକ୍ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେ କାର୍ଯ୍ୟକୁ ଯେତେଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରି ଜମି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ସିକିମ ରୟତ ମାନଙ୍କର ଜମି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୀତିଗତ ନିଷ୍ପତି ନିଆଯାଇଛି । ଏହାଦ୍ୱାରା କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।
ସୂଚନାଯୋଗ୍ୟ ଯେ ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତି ହୋଇଥିଲା ।
ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର । ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପଟ୍ଟା ଲିମେଇତିକ୍ରା ଗ୍ରାମରୁ ବଂଟନ କରାଯିବ । ଗଞ୍ଜାମ ଜିଲ୍ଲା ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ ଉଭୟ ଘରବାଡି ଓ ଚାଷଜମି ପଟ୍ଟା ବଂଟନ କରାଯିବା ପାଇଁ ମଧ୍ୟ ନିଷ୍ପତି ହୋଇଛି । ସେହିପରି ଜଟଣୀ ଖାସମାହାଲ ଜମି ସମସ୍ୟାର ସମାଧାନ କରାଯାଇ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଂଟନ କରାଯିବ ।
ସେହିପରି ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଂଟିତ ଲିଜ୍୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ନିଷ୍ପତି ହୋଇଥିଲା । ଲିଜ୍ କୁ ନିୟମିତ କରିବାପାଇଁ ନିୟମାବଳୀ ଅନୁମୋଦନ ପରେ ଓଜିଏଲଏସ୍ ନିୟମରେ ଆବଶ୍ୟକ ପରିବର୍ତନ ପାଇଁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ । ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ ଲୋକମାନେ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଲୋକଙ୍କ ବହୁ ବର୍ଷର ଜମି ସମସ୍ୟାର ସମାଧାନ ପାଇଁ ବାଟ ଫିଟିଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ସଂପର୍କରେ ସେପ୍ଟେମ୍ବର ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ତିନି ଥର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତିର ଅଗ୍ରଗତି ସଂପର୍କରେ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବହୁ ଐତିହାସିକ ନିଷ୍ପତି ନିଆଯାଇଛି । ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନ ସଚିବ ମାନସ ରଂଜନ ବାରିକ, ଗଞ୍ଜାମ, ସମ୍ବଲପୁର, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତି କରାଯାଇଛି ।