କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଗତ ତିନି ଦଶନ୍ଧି ମଧ୍ୟରେ ଶିକ୍ଷାର ବ୍ୟବସାୟୀ କରଣ ଓ ଘରୋଇ କରଣ ସ୍ରୋତ ଏତେ ପ୍ରଖର ଓ ଭୟଙ୍କର ଯେ ତାକୁ ରୋକିବାରେ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପୂର୍ଣ୍ଣ ଅସମର୍ଥ ହେବ ଓ ଦେଶର ବୃହତ୍ତର ସ୍ବାର୍ଥ ବ୍ୟାହତ ହେବ ବୋଲି ରେଭେନ୍ସା ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭଗର ପ୍ରଫେସର ସୁଦର୍ଶନ ମିଶ୍ର ମତ ପ୍ରକାଶ କରିଛନ୍ତି ।ସୂରଜମଲ ସାହା ମହାବିଦ୍ୟାଳୟର ବିବିଧ ଦକ୍ଷତା ବିକାଶ ସମିତି ତରଫରୁ ” ଜାତୀୟ ଶିକ୍ଷାନୀତି ୨୦୨୦ ରେ ଉଚ୍ଚଶିକ୍ଷା ସମସ୍ୟା ଓ ଆହ୍ଵାନ ” ଶୀର୍ଷକ ବିଷୟ ଉପରେ ନିଜର ଗବେଷଣାତ୍ମକ ଆଲୋଚନା ରଖି ପ୍ରଫେସର ମିଶ୍ର କହିଲେ ଯେ ଶିକ୍ଷାନୀତି ୨୦୨୦ ପାଞ୍ଚୋଟି ଆଧାର ଉପରେ ଗୁରୁତ୍ୱ ଆରୋପ କରିଛି । ସେଥି ମଧ୍ୟରୁ ଶିକ୍ଷାର ପ୍ରବେଶ କରିବାର ଅଧିକାର ରାଷ୍ଟ୍ର ସୃଷ୍ଟି ନକଲେ ସମାଜର ସବୁ ବର୍ଗର ମଣିଷ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ । ଶିକ୍ଷାର ସମତା ବିନା ଗୁଣାତ୍ମକ ଶିକ୍ଷା ହାସଲ ସମଭାବ ନୁହେଁ। ଏବେ ମଧ୍ୟ ଦଳିତ, ଆଦିବାସୀ ଓ ମହିଳା ମାନେ ଉଚ୍ଚଶିକ୍ଷା ପ୍ରାପ୍ତି କ୍ଷେତ୍ରରେ ଜାତୀୟ ହାର ଠାରୁ ବହୁ ପଛରେ ଅଛନ୍ତି । ଦେଶର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରୁ ପ୍ରାୟ ୭୦ ଭାଗ ଘରୋଇ ମାଲିକାନାଧିନ ଓ ସେସବୁ ଅନୁଷ୍ଠାନରେ ସାଧାରଣ ମଣିଷର ପିଲା ପଢ଼ିବାର ସୁଯୋଗ ପାଆନ୍ତି ନାହିଁ । ଏହା ପ୍ରତ୍ୟକ୍ଷ ଭାବେ ବିପୁଳ ଅଂଶକୁ ଶିକ୍ଷାରୁ ବଞ୍ଚିତ କରୁଛି । ଶିକ୍ଷାନୀତି ୨୦୨୦ ରେ ଉଲ୍ଲେଖ ଥିବା ଉଚ୍ଚଶିକ୍ଷାରେ ସ୍ବାଧୀନତା ଓ ଉତ୍ତରଦାୟିତ୍ୱ ପ୍ରସଙ୍ଗ ଉପରେ ମତ ରଖି ପ୍ରଫେସର ମିଶ୍ର କହିଲେ ଯେ ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ଏତେ ବଢ଼ିଛି ଯେ ଚାକିରୀ ନିରାପତ୍ତା ବିହୀନ ଶିକ୍ଷକ ସ୍ଵାଧୀନଚେତା ମଣିଷ ଭାବେ ତାର ଦାୟିତ୍ଵ ପାଳନ କରିପାରିବ ନାହିଁ । ସାମାଜିକ ସମତା ଓ ବୌଦ୍ଧିକ ସ୍ବାଧୀନତା ବିପନ୍ନ ହେଲେ ଜାତୀୟ ସ୍ବାର୍ଥ ପରାହତ ହେବ ବୋଲି ସେ ମତ ଦେଇଛନ୍ତି।
ଆଲୋଚନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପରିଚାଳନା କମିଟିର ସଭାପତି ପ୍ରଫେସର ଶଙ୍କର୍ଷଣ ଦାଶ କହିଲେ ଯେ ଆମ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ବିଶ୍ବସ୍ତରୀୟ ହେବାକୁ ହେଲେ ରାଷ୍ଟ୍ର ପ୍ରୋତ୍ସାହିତ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋଚନାରେ ଭାଗ ନେଇ କହିଲେ ଯେ ୧୯୬୮ ଜାତୀୟ ଶିକ୍ଷାନୀତି ପ୍ରଣୟନ ବେଳେ ଶିକ୍ଷା ପାଇଁ ଦେଶର ଜାତୀୟ ଉତ୍ପାଦର ୬ ବିନିଯୋଗ କରିବାକୁ କୋଠାରୀ କମିଶନଙ୍କ ସୁପାରିଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇନାହିଁ । ୧୯୬୮ ମସିହାର ଜନସଂଖ୍ୟା ଓ ଉଚ୍ଚଶିକ୍ଷା ପ୍ରାପ୍ତି ସହ ଆଜିର ଶିକ୍ଷା ଚାହିଦା ତୁଳନା କଲେ ଦେଶକୁ ମୋଟ ଜାତୀୟ ଉତ୍ପାଦର ୧୦ ଭାଗ ବ୍ୟୟ ନକଲେ ସ୍ବାଧୀନତାର ସ୍ବପ୍ନ ସାକାର ହୋଇ ପାରିବ ନାହିଁ ।
ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡ଼ଃ ମୀନାକ୍ଷୀ ମିଶ୍ର ବିଷୟ ବସ୍ତୁ ଉପରେ ପ୍ରାକ ସୂଚନା ଦେଇ କହିଲେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷାର ବିକାଶ ବିନା ଦେଶର ଉନ୍ନୟନ ସମ୍ଭବ ନୁହେଁ। ଏଥିରେ ବୌଦ୍ଧିକ ବିକାଶ ସମିତିର ମୁଖ୍ୟ ଡ଼. ପ୍ରତିମା ମହାନ୍ତି ସହଯୋଗୀ ସଦସ୍ୟ ଡ଼. ସୁଦର୍ଶନ ମହାନ୍ତି ଓ ରବୀନ୍ଦ୍ର ପ୍ରଧାନଙ୍କ ସହ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀ. ବ୍ରହ୍ମାନନ୍ଦ ସାହୁ ତଥା ନାକ୍ ସଂଯୋଜକ ଡ଼. ଦିପ୍ତୀ ପ୍ରସାଦ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ମୁଖ୍ୟ ଆଲୋଚକ ଡ଼ଃ ମିଶ୍ର , ସଭାପତି ଶଙ୍କର୍ଷଣ ଦାସଙ୍କୁ ସମ୍ଭର୍ଧିତ କରାଯାଇଥିଲା । ଅର୍ଥନୀତି ବିଭାଗ ସମେତ ଇତିହାସ, ସଂସ୍କୃତ, ଇଂରାଜୀ, ଅର୍ଥନୀତି , ଦର୍ଶନ , ଓଡ଼ିଆ, ରାଜନୀତି ବିଜ୍ଞାନ , ଶିକ୍ଷା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।