ଭୁବନେଶ୍ୱର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବିଶିଷ୍ଟ କୃଷି ବୈଜ୍ଞାନିକ, ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ, ସାଂସଦ ଓ ପ୍ରଜାମଣ୍ଡଳ ସଂଗଠକ ଗଡ଼ଜାତଗାନ୍ଧୀ ସାରଙ୍ଗଧର ଦାସଙ୍କ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପାଠକପାଠିକାମାନେ କିପରି ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷରେ ପହଂଚି ପାରିବେ ବୋଲି ସେ କହିଥିଲେ । ପୂର୍ବବର୍ଷ ତାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ । ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଡଜାତ ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ନିଜ କର୍ମମୟ ସମୟକୁ ଗଡ଼ଜାତ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ କରି କିପରି ସମାଜରେ ପ୍ରତିଷ୍ଠିତ ହୋଇପାରିବା ସେ ବିଷୟରେ ମତବ୍ୟକ୍ତ କରିଥିଲେ । ଶେଷରେ ଗ୍ରନ୍ଥାଗାରିକା ଶ୍ରୀମତୀ ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରନ୍ଥାଧ୍ୟକ୍ଷ ରୁଦ୍ର ପ୍ରସାଦ ବେହେରା, ଗ୍ରନ୍ଥାଧ୍ୟକ୍ଷ ପଦ୍ମନାଭ ଜେନା, ଗ୍ରନ୍ଥାଧ୍ୟକ୍ଷ ବିଦ୍ୟାଧର ପଣ୍ଡା, ଗ୍ରନ୍ଥାଧକ୍ଷା ଶ୍ରୀମତୀ ସଳିତା ପାତ୍ର, ମଞ୍ଜୁରାଣୀ ମୁଦୁଲି, ପାଠାଗାରର ସମସ୍ତ କର୍ମଚାରୀ, ପାଠକ ଓ ପାଠିକାମାନେ ଭାଗ ନେଇଥିଲେ ।