ଜୟପୁର, ବଡ ଧରଣର ସାଇବର ଠକେଇର ପର୍ଦାଫାସ କଲା ଜୟପୁର ସଦର ପୋଲିସ । ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ କରି ଆକାଉଣ୍ଟ ଖୋଲିବା ଓ ଠକିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ସେମିଳିଗୁଡାର ବଳରାମ ଦାସ, ଭୁବନେଶ୍ବରର ସତ୍ୟ ରଂଜନ ସାହୁ ଓ ରାଜୀବ କୁମାର ପ୍ରସାଦ । ଏମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ଚେକ୍ ବୁକ, ଏଟିଏମ୍, ପ୍ରିଣ୍ଟର, ଲ୍ୟାପଟପ, ଟାବ୍, ବାୟୋମେଟ୍ରାକ୍ ଡିଭାଇସ, ମୋବାଇଲ ଫୋନ, ଦୁଇ ଚକିଆ ଗାଡି, ଟଙ୍କାଗଣା ମେସିନ ଓ ନଗଦ ୨୩ ହଜାର ୫୦୦ ଟଙ୍କା ଇତ୍ୟାଦି ଜବତ ହୋଇଛି।
ଅଭିଯୋଗ ଅନୁସାରେ, ଏହି ୩ ଜଣ ଅଭିଯୁକ୍ତ ବିଭିନ୍ନ ଲୋକଙ୍କୁ ଲୋନ କରାଇଦେବା ନାଁରେ ସେମାନଙ୍କ ଠାରୁ ଆଧାର କାର୍ଡ ଓ ଅନ୍ୟ ଦସ୍ତାବିଜ ନେଇ ସେମାନଙ୍କ ନାଁରେ କରେଣ୍ଟ ଆକାଉଣ୍ଟ ଖୋଲୁଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ଠାରୁ ସେହି ଆକାଉଣ୍ଟ ସହ ଲିଙ୍କ୍ ଥିବା ସିମ୍ କାର୍ଡ ସହ ଚେକ୍ ବୁକ୍ ଓ ଏଟିଏମ୍ ନେଇ ଯାଉଥିଲେ । ଏହି ଆକାଉଣ୍ଟ ସେମାନେ ସାଇବର ଠକଙ୍କୁ ଦେଉଥିଲେ। ଏହି ଆକାଉଣ୍ଟ ବ୍ୟବହାର କରି ସାଇବର ଠକ ମାନେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଉପାୟରେ ଠକୁଥିବା ଟଙ୍କା ଏଥିରେ ଜମା କରାଉଥିଲେ । ଆଉ ଟଙ୍କା ଜମା ହେବା ପରେ ତୁରନ୍ତ ଏହାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଉଥିଲେ। ତେବେ ଏହି ଠକାମୀରେ ସାମିଲ ହୋଇ ଆକାଉଣ୍ଟ ଖୋଲାଉଥିବା ୩ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କିନ୍ତୁ ପୋଲିସ ପଂଝାରୁ ବାହାରେ । ଏସବୁ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଥିବାରୁ ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ ଗଠନ ହୋଇଛି। ତେବେ ଏମାନଙ୍କ ଜାଲରେ ଜୟପୁର ନିକଟସ୍ଥ କାଳିଆଗାଁର ରଂଜନ ହରିଜନ ପଡିବା ପରେ ଜୟପୁର ସଦର ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଅନୁସାରେ ଜୟପୁରର ଆଇସିଆଇସିଆଇ ବ୍ୟାଙ୍କରେ ୧ ଲକ୍ଷ ୪୦ ହଜାର ଟଙ୍କାର ଲୋନ କରାଇଦେବ କହି ଅଭିଯୁକ୍ତ ବଳରାମ ଦାସ ରଂଜନର ସମସ୍ତ ଦସ୍ତାବିଜ ନେଇଥିଲା ଓ ପରେ ଜାଲ୍ ଦସ୍ତାବିଜରେ ତା ନାଁରେ କରେଣ୍ଟ ଆକାଉଣ୍ଟରେ ଖୋଲିଥିଲା। ଏହି ଆକାଉଣ୍ଟରେ ଗୋଟିଏ ଦିନରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜମା ହୋଇଥିଲା। ତେଣୁ ସନ୍ଦେହ ହେବାରୁ ପୋଲିସ ନିକଟରେ ରଂଜନ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ଏହି ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଆଉ ତଦନ୍ତ ପରେ ପ୍ରମାଣ ଆଧାରରେ ପୋଲିସ ଏହି ୩ ଜଣଙ୍କୁ ଗିରଫ କରିଛି। ତେବେ ଏପରି ଆକାଉଣ୍ଟ ଖୋଲି ସେମାନେ ଏହା ସାଇବର ଠକଙ୍କୁ ଦେଉଥିଲେ ଆଉ ଏଥିପାଇଁ ଏମାନେ ମୋଟା ଅଙ୍କର କମିଶନ ପାଉଥିଲେ। ପରେ ଏହି ଆକାଉଣ୍ଟ ବ୍ୟବହାର କରି ସାଇବର ଠକ ମାନେ ବିଭିନ୍ନ ଲୋକଙ୍କୁ ବିଭିନ୍ନ ଉପାୟରେ ଠକୁଥିଲେ। କାହାକୁ ଲଟେରି ଉଠିଛି କହି ତ କାହାକୁ ଅନ ଲାଇନରେ କାମ ଦେବା ବାହାନାରେ ଲୋକଙ୍କୁ ଠକି ଟଙ୍କା ମାଗୁଥିଲେ। ସେହି ଠକାମୀ ଟଙ୍କା ଏହି ଆକାଉଣ୍ଟରେ ଜମା ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ହରିଶ ଵିଶି।