ଭୁବନେଶ୍ୱର, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ଗ୍ରାମ ନିବାସୀ ବିଭୁଦେନ୍ଦ୍ର ପ୍ରତାପ ଦାସଙ୍କ ଶିଶୁ କନ୍ୟା ତେଜସ୍ୱିନୀର ଅସୁସ୍ଥତା ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ ତାଙ୍କର ଚିକିତ୍ସା ସହାୟତା ପାଇଁ ରାଜ୍ୟ ବିଏସ୍ କେୱାଇ ଟିମ୍ ତରଫରୁ କ୍ଷେତ୍ର ସ୍ତରୀୟ ପ୍ରଚେଷ୍ଠା ଆରମ୍ଭ ହୋଇଥିଲା ।
ଇତି ମଧ୍ୟରେ ସ୍ୱତନ୍ତ୍ର ହେଲଥ ଟିମ୍ ସମ୍ପୃକ୍ତ ଗ୍ରାମକୁ ଯାଇ ତେଜସ୍ୱିନୀଙ୍କ ସମ୍ପର୍କୀୟ ଓ ପିତା ମାତାଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । ସ୍ଥିତିର ଅନୁଧ୍ୟାନରୁ ଜଣାପଡିଛି ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍ କେୱାଇ) ଅନ୍ତର୍ଭୁକ୍ତ କରାଯାଇଛି । ତେଜସ୍ୱିନୀଙ୍କ ମା ଝିଲିଲତା ଶତପଥିଙ୍କ ନାମରେ କାର୍ଡ ଅଛି । ଚିକିତ୍ସା ପାଇଁ କାର୍ଡରେ ମଧ୍ୟ ଆବଶ୍ୟକୀୟ ଅର୍ଥ ମହଜୁଦ ଅଛି । ବର୍ତମାନ ତେଜସ୍ୱିନୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ହେମାଟୋଲୋଜି ବିଭଗରେ ଚିକିତ୍ସା ଦିଆଯାଉଛି । ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ କାର୍ଡ ମାଧ୍ୟମରେ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ତେଜସ୍ୱିନୀର ଅବସ୍ଥା ଧୀରେ ଧୀରେ ସୁଧୁରୁଛି । ସେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ବିଏସ୍କେୱାଇ ଟିମ୍ ତରଫରୁ ଆଶା ପ୍ରକଟ କରାଯାଇଛି ।