-
ପ୍ରଥମ ଦଫାରେ ନଭେମ୍ବର ଓ ଡିସେମ୍ବରରେ ରାୟଗଡ଼ା, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ମିଳିତ ଜନଆକ୍ରୋଶ ସମାବେଶ
ଭୁବନେଶ୍ୱର ,ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଣ ବିଜେପି ଓ ଅଣ ବିଜେଡ଼ି ରାଜନୈତିକ ଦଳର ନେତୃବୃନ୍ଦ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉପସ୍ଥିତ ଥିବା ନେତୃବୃନ୍ଦ ମାନଙ୍କର ପରାମର୍ଶ କ୍ରମେ ୧୬ ଟି ଅଣବିଜେପି ଓ ଅଣ ବିଜେଡ଼ି ଦଳକୁ ନେଇ ଏକ ୧୭ ଜଣିଆ ସଂଯୋଜନା କମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ମୁଖ୍ୟ ସଂଯୋଜକ ଏବଂ ଅନ୍ୟ ସମଭାବାପନ୍ନ ରାଜନୈତିକ ଦଳମାନଙ୍କର ନେତୃବୃନ୍ଦମାନେ ସଭ୍ୟ ଅଛନ୍ତି । ବିଜେଡ଼ି ଓ ବିଜେପିର ଜନ ବିରୋଧି ନୀତି ବିରୁଦ୍ଧରେ ଜନଆନ୍ଦୋଳନ କରିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ରାଜ୍ୟରେ ଆକାଶଛୁଆଁ ଦରବୃଦ୍ଧି, ଜାତିଭିତିକ ଗଣନା, ଉତ୍କଟ ବେକାରୀ ସମସ୍ୟା, ବ୍ୟାପକ ଦୁର୍ନୀତି, ଚାଷୀ ସମସ୍ୟା ପ୍ରତି ଉଦାସୀନତା, କ୍ରମବର୍ଦ୍ଧିଂଷୁ ନାରୀ ଅତ୍ୟାଚାର ଓ ଦୁଷ୍କର୍ମ, ସରକାରୀ ଯୋଜନା ରୂପାୟନରେ ବ୍ୟାପକ ଅନିୟମିତତା, ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ସମସ୍ୟାର ସମାଧାନ ଦିଗରେ ସରକାରଙ୍କର ଉଦାସୀନତା, ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକର ନିରପେକ୍ଷତା ପ୍ରତି ଆକ୍ରମଣ, ଶାସନ କଳର ସଂପୂର୍ଣ୍ଣ ଅପବ୍ୟବହାର ପ୍ରଭୃତି ପ୍ରସଙ୍ଗରେ ପ୍ରଥମ ଦଫାରେ ନଭେମ୍ବର ପ୍ରଥମ ସପ୍ତାହରେ ରାୟଗଡ଼ାରେ ଜନଆକ୍ରୋଶ ସମାବେଶ ହେବ ବୋଲି ନିଷ୍ପତି ନିଆଯାଇଛି । ସେହିଭଳି ନଭେମ୍ବର ଦ୍ୱିତୀୟ ସପ୍ତାହରେ ରାଉରକେଲା ଏବଂ ଡିସେମ୍ବରର ପ୍ରଥମ ସପ୍ତାହରେ ସମ୍ବଲପୁର ଓ ଦ୍ୱିତୀୟ ସପ୍ତାହରେ ବାଲେଶ୍ୱରରେ ଜନ ଆକ୍ରୋଶ ସମାବେଶ ହେବ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ସଂପାଦକ ଅଭୟ ସାହୁ, ସିପିଆଇଏମ ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସିପିଆଇଏମଏଲ (ଏଲ)ର ସଂପାଦକ ଯୁଧିଷ୍ଠୀର ମହାପାତ୍ର, ଅଲଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ମୁଖ୍ୟ ଜ୍ୟୋତିରଞ୍ଜନ ମହାପାତ୍ର, ସିପିଅଲ ଏମଲଏ ରେର୍ଡଷ୍ଟାର ମୁଖ୍ୟ ପ୍ରମିଳା ବେହେରା, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଆରବିଆଇ ରାଜ୍ୟ ମୁଖ୍ୟ, ସେକ ଅବଦୁଲ ୱାଲି, ଆପର ସୁଦିପ୍ତ ଦାସ, ସୌମ୍ୟ ରଞ୍ଜନ ସ୍ୱାଇଁ, ସମାଜବାଦି ପାଟିର ସଂଜୟ ନାୟକ, ତୃଣମୂଳ କଂଗ୍ରେସର ନନ୍ଦନ ପାଲ, ସମତାକ୍ରାନ୍ତି ଦଳର ପ୍ରଭାତ ସାମନ୍ତରାୟ, ଆରଜେଡିର ହେମନ୍ତ କୁମାର, ଜେଡୟୁର ଚିତରଞ୍ଜନ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ନିଜର ମତାମତ ଦେଇଥିଲେ ।