ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାଶ, ବିଧାୟକ ବିଜୟ ଶଙ୍କର, ଶ୍ରୀକାନ୍ତ ସାହୁ, ବ୍ରଜ ପ୍ରଧାନ ତଥା ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ବିଭିନ୍ନ ସମୟରେ ଆସିଥିବା ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପିର ପ୍ରବକ୍ତା ଅନିଲ ବିଶ୍ୱାଳ କହିଛନ୍ତି ଯେ ଏହା ହିଁ ନବୀନ ପଟ୍ଟନାୟକ ସରକାରଙ୍କ ମା ଙ୍କୁ ସମ୍ମାନ ସ୍ଲୋଗାନର ବାସ୍ତବିକତା ।
ସେ କହିଛନ୍ତି, ଓଡିଶାର ଶାସନ ବ୍ୟବସ୍ଥାରେ ଓଲଟା ବ୍ୟବସ୍ଥା ଓ ଶାସକ ଦଳର ନେତାମାନଙ୍କର ଅଧୋଗତି ଆଉ କେତେ ତଳକୁ ଯିବ? ସଚିବମାନେ ଏଠି ଶାସନ କରିବେ ଆଉ ବିଜେଡି ବିଧାୟକ, ମନ୍ତ୍ରୀମାନେ ତାଙ୍କ ଦଳର ମହିଳା ନେତ୍ରୀମାନଙ୍କୁ ଭୁବନେଶ୍ୱର ଡାକିବେ ମାଇଣ୍ଡଫ୍ରେସ କରିବା ପାଇଁ ।
ସେ କହିଛନ୍ତି ଯେ, ନିମାପଡାର ବିଧାୟକ ସମୀର ଦାସଙ୍କ ବିରୋଧରେ ତାଙ୍କ ଦଳର ଜଣେ ମହିଳା ନେତ୍ରୀ ଆଣିଥିବା ସଙ୍ଗୀନ ଅଭିଯୋଗ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ? ସେହି ନିମାପଡାରେ ଜଣେ ଜିଲ୍ଲା ପରିଷଦ ସଭ୍ୟ ଆତ୍ମହତ୍ୟା କରିବା ପଛରେ କେଉଁ କାରଣ ଥିଲା? ସେହି ଘଟଣାରେ ତଦନ୍ତ କେଉଁଠି ଅଟକିଲା? ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାର ବିଜେଡିର ଜଣେ ମହିଳା ନେତ୍ରୀ ତାଙ୍କ ଦଳର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯ୍ୟାତନାର ତଦନ୍ତ କେଉଁଠି ଅଟକିଲା? ଜଗତସିଂହପୁରର ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ରୁଜୁ ହୋଇଥିବା ଯୌନ ନିର୍ଯ୍ୟାତନା, ସେକ୍ସ ର୍ୟାଧକେଟ ଚଲାଉଥିବା ନେଇ ରୁଜୁ ହୋଇଥିବା ମାମଲାର ତଦନ୍ତ କେଉଁଠି ଅଟକିଲା? ମମିତା ମେହେର ହତ୍ୟାକାଣ୍ଡରେ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂମ୍ପୃକ୍ତି ଥିଲା ନା ନାହିଁ? ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯ୍ୟାତନାର ତଦନ୍ତ କାହିଁକି ଚପାଇ ଦିଆଗଲା?
ଯେମିତି ହାତୀର ଦୁଇଟା ଦାନ୍ତ ଥାଏ, ଗୋଟିଏ ଦେଖାଇବା ଦାନ୍ତ ଆଉ ଆରଟି ହେଉଛି ଖାଇବା ଦାନ୍ତ । ସେମିତି ମୁଖ୍ୟମନ୍ତ୍ରୀଙ୍କର ଦୁଇଟା ଚେହେରା । ଗୋଟିଏ ହେଉଛି ଦେଖାଇ ହେବା, ଆରଟି ହେଲା ଅସଲି ।
ସେ କହିଛନ୍ତି ଯେ ମାକୁ ସମ୍ମାନ ହେଉଛି ଦେଖାଇହେବା ଚେହେରା । ଅସଲ ଚେହେରାଟି ହେଲା ସମୀର ଦାସ, ବିଜୟ ଶଙ୍କର ଦାସ, ଦିବ୍ୟଶଙ୍କର ମିଶ୍ର, ଶ୍ରୀକାନ୍ତ ସାହୁ, ବ୍ରଜ ପ୍ରଧାନ ।
ଦେଖେଇହେବା ଚେହେରା ହେଉଛି କୋହ୍ଲାପୁରି ଚପଲ, ମାରୁତି ଏଷ୍ଟିମ କାର । ଅସଲ ଚେହେରା ହେଉଛି ଚିଟଫଣ୍ଡ, କୋଇଲା ଦୁର୍ନୀତି, ଖଣି ଲୁଟ, ୫୦% ପିସି ।
ସେ କହିଛନ୍ତି ଯେ ନିଜକୁ ଲେଖକ କହିବା ହେଉଛି ଦେଖେଇହେବା ଚେହେରା । କିନ୍ତୁ ଓଡିଆ ଗଣମାଧ୍ୟମ ଉପରେ ଆକ୍ରୋଶ ମୁଳକ କାର୍ଯ୍ୟାନୁଷ୍ଠାନ ନେବା ହେଉଛି ଅସଲ ଚେହେରା ।
ହଠାତ ପ୍ରତିକ୍ରିୟା ନଦେବା ହେଉଛି ଦେଖାଇହେବା ଚେହେରା କିନ୍ତୁ ସମାଲୋଚକଙ୍କୁ ଜେଲରେ ପୁରାଇବା, ବିରୋଧୀଙ୍କୁ ମିଛ ମାମଲାରେ ଫସାଇବା ହେଉଛି ଅସଲ ଚେହେରା ।