ଭୁବନେଶ୍ୱର, ଚଳିତ ମାସ ୩୧ ତାରିଖରେ ସାଲେପୁର ଏସଡିଜିଏମଙ୍କ ଅଦାଲତରେ ହାଜର ପାଇଁ ବିଧାୟକ ପ୍ରତାପ ଜେନାଙ୍କୁ ସ୍ପେଶାଲ୍ ମେସେଞ୍ଜର ଦ୍ୱାରା ସମନ୍ ଜାରି କରାଯାଇଛି । ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ଆସନ୍ତା ଅକ୍ଟୋବର ୩୧ତାରିଖରେ ହାଜର୍ ହେବା ପାଇଁ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ସମନ୍ ପ୍ରଦାନ କରାଯାଇଛି । ଆଇନଜୀବୀ ପ୍ରବୀନ କୁମାର କାନୁନଗୋ ଏହି ସୂଚନା ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରୀ ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରୁ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇନଥିଲା । ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା । ପୁଲିସର ଚାର୍ଜସିଟ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା । ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତ୍ୱରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨(ହତ୍ୟା), ୧୨୦-ବି(ଅପରାଧିକ ଷଡୟନ୍ତ୍ର), ୫୦୬( ହତ୍ୟା ଧମକ)ରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩, ସେପ୍େଟମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିଥିଲେ । ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତତଃ ମାମଲା ହେଉଛି ବୋଲି ଅଦାଲତ ସୂଚାଇ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ ।