
-
ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏଭଳି ସ୍ଥିତି,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିରରେ ପୁଣି ରକ୍ତଛିଟା ପଡ଼ିଛି। ଶୁକ୍ରବାର ଅପରାହ୍ନରେ ଗର୍ଭଗୃହ ଭିତରେ ଦ୍ବିପ୍ରହର ଧୂପ ବସିଥିବା ବେଳେ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ପତ୍ରୀ ବଡୁ ଓ ପଖାଳିଆ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏହି ଭୟଙ୍କର ସ୍ଥିତି ଉପୁଜିଥିଲା ।
ସୂଚନା ଅନୁସାରେ ଅପରାହ୍ନ ସମୟରେ ଦ୍ବିପହର ଧୂପ ବସିଥିଲା।ସେବାରେ ଥିବା ପ୍ରାପ୍ୟ (ଖେଇ)କୁ ନେଇ ପତ୍ରୀ ବଡ଼ୁ ଓ ପଖାଳିଆ ସେବାୟତର ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟଙ୍କ ମଧ୍ୟରେ ମୁଥା ମରାମରି ହୋଇଥିଲେ। ଘଟଣାସ୍ଥଳରେ ରକ୍ତଛିଟା ପଡ଼ିଥିଲା। ଉଭୟଙ୍କୁ ସିଂହଦ୍ବାର ପୁଲିସ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟପଟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଛି। ଏହା ପରେ ପୁଣି ସମସ୍ତ ନୀତିକାନ୍ତି ଆଗକୁ ବଢ଼ିଥିଲା ।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏହିଭଳି ଅପ୍ରୀତିକର ଅଘଟଣ ଦେଖିବାକୁ ମିଳିଛି । ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରରେ ବାରମ୍ବାର ଏହିଭଳି ଅଘଟଣକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୁଦ୍ଧିଜୀବୀ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।