
-
ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବୟାନ ପରେ ଚର୍ଚ୍ଚା
ପୁରୀ,ପୁରୀରେ ହୋଇପାରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇପାରେ ନିର୍ବାଚନୀ ଲଢେ଼ଇ |ସୂଚନା ଅନୁସାରେ ପୁରୀର ବରିଷ୍ଠ ସେବାୟତ ତଥା ବିଜେଡି ଦଳର ରାମକୃଷ୍ଣ ଦାସ ମହାପାତ୍ର ଏବଂ ବିଜେପି ଦଳ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବୟାନ ପରେ ଏନେଇ ଚର୍ଚ୍ଚା ଜୋର ଧରିଛି |୨୦୨୪ ନିର୍ବାଚନରେ ଯଦି ଏଭଳି କିଛି ଘଟେ, ତାହେଲେ ଭାରତ ଇତିହାସର ଏହା ସବୁଠାରୁ ରୋଚକ ନିର୍ବାଚନ ହେବ ବୋଲି ମତ ପ୍ରକାଶ ପାଇଛି |ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଥିବା ବେଳେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦୀ ବାରଣାସୀରୁ ଦୁଇଥର ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦୀଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଯଦି ପ୍ରଧାନମନ୍ତ୍ରୀ ୨୦୨୪ରେ ପୁରୀରୁ ନିର୍ବାଚନ ଲଢ଼ନ୍ତି, ତାହେଲେ ଦେଶର ରାଜନୀତିରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିପାରେ । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଲୋକପ୍ରିୟତା ସାରା ଦେଶରେ ଚର୍ଚ୍ଚିତ । ପ୍ରତିଟି ନିର୍ବାଚନକୁ ଜିତିବା ଯେଭଳି ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି । ସେଥିପାଇଁ ଦୀର୍ଘ ୨୩ ବର୍ଷରୁ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ତେବେ ଦେଶର ଏହି ଦୁଇ ଲୋକପ୍ରିୟ ନେତା କେଉଁଠୁ ନିର୍ବାଚନ ଲଢ଼ିବେ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।
ପୁରୀର ବରିଷ୍ଠ ସେବାୟତ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର କହିଥିଲେ, ବନାରସରେ ମୋଦି ଠିଆ ହେବା ପରେ ବନାରସରେ ବିକାଶ ହେଲା । ଠିକ୍ ସେମିତି ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିଲେ ଶ୍ରୀ କ୍ଷେତ୍ରର ବିକାଶ ହେବ । ରାମକୃଷ୍ଣଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଥିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ଚାହିଁବେ, ସେଠାରେ ଲଢ଼ିପାରିବେ । ଜୟନ୍ତ ଷଡ଼ଙ୍ଗୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ସେ ଶୁଣିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିବେ, ତେବେ ପୁରୀର ଭାଗ୍ୟ ବଦଳିଯିବ ବୋଲି ନିଜର ମତ ପ୍ରକାଶ କରିଛନ୍ତି ।