ଭୁବନେଶ୍ୱର, ଶଙ୍ଖକୁ କେବଳ ଏକ ରାଜନୈତିକ ଚିହ୍ନ ଭାବେ ବିରୋଧୀ ମାନେ ଚିତ୍ରିତ କରିବା ଉଚିତ୍ ନୁହେଁ । ଲକ୍ଷ୍ମୀ ଯୋଜନାରେ ଦଳୀୟ ଲୋଗୋ ବ୍ୟବହାରକୁ ନେଇ ପ୍ରତିକ୍ରିୟା ଦେଇ ପୂର୍ବତନ ମନ୍ତ୍ରୀ ସମୀର ରଂଜନ ଦାଶ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଶଙ୍ଖ ଆମ ଦୈନନ୍ଦିନ ଜୀବନର ଅଂଶ ବିଶେଷ । ଯେକୌଣସି କାର୍ଯ୍ୟକ୍ରମର ଆରମ୍ଭ ଶଙ୍ଖ ନାଦରୁ ହିଁ ହୁଏ । ଶଙ୍ଖ ବଜାଇବା କଣ ଭୁଲ । ଭଲ କାର୍ଯ୍ୟରେ ଶଙ୍ଖ ବଜାଯାଏ । ଏହା କେବଳ ଓଡ଼ିଶା ଭିତରେ ସୀମାବଦ୍ଧ ନୁହେଁ । ଭାରତୀୟ ସଂସ୍କୃତିରେ ଶଙ୍ଖର ବିଶେଷ ଭୂମିକା ଅଛି । ଲୋକଙ୍କ ଭିତରେ ଏକ ଆଧ୍ୟାତ୍ମିକ ଭାବକୁ ନେଇ ଶଙ୍ଖ ଅଛି । ତେଣୁ ଶଙ୍ଖକୁ କେବଳ ଏକ ରାଜନୈତିକ ଚିହ୍ନ ଭାବେ ବିରୋଧୀ ମାନେ ଚିତ୍ରିତ କରିବା ଉଚିତ୍ ନୁହେଁ । ଲକ୍ଷ୍ମୀ ଯୋଜନା ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ତେଣୁ ବିଜ୍ଞାପନରେ ଶଙ୍ଖ ବଜାଇବାର ଫଟୋ ଆସିଛି । ତାକୁ ନେଇ ଭୋକ ବିକଳରେ ତାଟିଆ କାମୁଡ଼ିଲେ କଣ କରାଯାଇପାରିବ ବୋଲି ସେ କହିଛନ୍ତି ।