ଚଣ୍ଡୀଗଡ଼, ପାନିପଥର ସନୌଲି ଗ୍ରାମରେ ଗୁରୁବାର ସକାଳେ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିବା ୪ ଜଣ ଶିଶୁ ନଦୀର ପ୍ରଖର ଜଳସ୍ରୋତରେ ଭାସି ଯାଇଥିଲେ । ବୁଡ଼ାଳିଙ୍କ ସହାୟତାରେ ଜଣେ ଶିଶୁର ଶବକୁ ପାଣିରୁ ଉଦ୍ଧାର କରାଯାଇଛି । ଅନ୍ୟ ତିନି ଜଣଙ୍କୁ ଖୋଜାଖୋଜି ଜାରି ରହିଛି । ଜଳସେଚନ ବିଭାଗ, ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଏଥିରେ ନିୟୋଜିତ ଅଛନ୍ତି ।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସନୌଲି ନିକଟ ଜାଲପାଡ଼ ଗ୍ରାମରେ ୧୪ରୁ ୧୭ ବର୍ଷ ବୟସ୍କ ଏହି ୪ ଜଣ ଶିଶୁ ଆଜି ସକାଳେ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ନଦୀର ପ୍ରଖର ଜଳସ୍ରୋତରେ ଏମାନେ ଭାସି ଯାଇଥିଲେ । ସ୍ଥାନୀୟ ଲୋକ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଏବଂ ବୁଡାଳିଙ୍କ ସହାୟତାରେ ନିଖୋଜ ଶିଶୁ ମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ । ନିଖୋଜଙ୍କ ମଧ୍ୟରୁ ଅଦ୍ୟାବଧି ଜଣେ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ତାର ନାମ ସମୀର ଏବଂ ତାର ବୟସ ୧୭ ବର୍ଷ ବୋଲି ଜଣାପଡିଛି । ଅନ୍ୟ ନିଖୋଜ ମାନେ ହେଲେ ଜାଲପାଡ ଗ୍ରାମର ବାଦିଲ, ଶୌଫଲି ଏବଂ ଝାମ୍ବା ଗ୍ରାମର ୧୬ ବର୍ଷିୟ ଅମନ ।